ନବ ଦାସଙ୍କ ହତ୍ୟା ମାମଲା ଚାର୍ଜସିଟକୁ ନେଇ ବିଜୟ ମହାପାତ୍ରଙ୍କ ସାଂଘାତିକ ଅଭିଯୋଗ: କହିଲେ, ଏହା ଏକ ପ୍ରି-ପ୍ଲାନ ମର୍ଡର ଓ ପ୍ରି-ପ୍ଲାନ ଚାର୍ଜସିଟ୍ ,ପୋଲିସ ପ୍ରଶାସନ ପାଇଁ କଳଙ୍କିତ ଅଧ୍ୟାୟ

366

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍ ସାମନାକୁ ଆସିବା ପରେ ତେଜିଛି ରାଜନୀତି । ନବ ଦାସଙ୍କୁ ଏକ ପ୍ରିପ୍ଲାନ ମର୍ଡର କରାଯାଇଥିବା ପତ୍ନୀ ଓ ପୁଅ ବୟାନ ଦେଇଥିବା, ଚାର୍ଜସିଟରୁ ଜଣାପଡିବା ପରେ ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । କହିଛନ୍ତି, ଯାହା ଆଶା କରାଯାଉଥିଲା ତାହା ହେଲା । ନବ ଦାସଙ୍କ ହତ୍ୟାକାଣ୍ଡ ଏକ ପ୍ରି-ପ୍ଲାନ ମର୍ଡର ଓ ପ୍ରି-ପ୍ଲାନ ଚାର୍ଜସିଟ୍ ।

ନବ ଦାସଙ୍କ ସ୍ତ୍ରୀ ଓ ପୁଅ ଯାହା କହିଛନ୍ତି, ପୂର୍ବରୁ ସେ ସେହି କଥା କହି ଆସୁଛନ୍ତି । ଷଡଯନ୍ତ୍ର ଦିଗକୁ ଯାଇନାହିଁ କ୍ରାଇମବ୍ରାଂଚ । ଧୀରେ ଧୀରେ କ୍ରାଇମବ୍ରାଞ୍ଚ ଉପରୁ ସାଧାରଣ ଲୋକଙ୍କ ଆସ୍ଥା ବିଶ୍ୱାସ ତୁଟି ଯିବ । ଏହା ହେବା ଉଚିତ୍ ନଥିଲା । ପୋଲିସ ପ୍ରଶାସନ ପାଇଁ ଏହି ଘଟଣା ସବୁଦିନ ପାଇଁ କଳଙ୍କମୟ ଅଧ୍ୟାୟ ହୋଇ ରହିଯିବ । ଯଦି ମନ୍ତ୍ରୀଙ୍କର ଗୋପାଳ ସହିତ ବିବାଦ ହେଲା, ପାଞ୍ଚ ମିନିଟରେ ମନ୍ତ୍ରୀ ବଦଳି କରିପାରିଥାନ୍ତେ । କିମ୍ବା ଗୋପାଳ ଯଦି ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରୁଥିଲେ ତାହେଲେ ସେ ମଧ୍ୟ ବଦଳି ହୋଇ ଯାଇପାରିଥାନ୍ତେ । ତେଣୁ କ୍ରାଇମବ୍ରାଞ୍ଚର ଯୁକ୍ତି ଗ୍ରହଣୀୟ ନୁହେଁ । ଏହି ମାମଲାକୁ ନବ ଦାସଙ୍କ ପତ୍ନୀ, ପୁଅ ଓ ଝିଅ ହାତକୁ ନେବା ଦରକାର ବୋଲି କହିଛନ୍ତି ।