ବିଜେବି କଲେଜରେ ଛାତ୍ରଙ୍କ ରାଗିଂ ଅଭିଯୋଗ ଘଟଣା : ଡିସିପି କହିଲେ ଗଣ୍ଡଗୋଳର ମିଳିଛି ପ୍ରମାଣ, ରାଗିଂକୁ କଲେ ଖାରଜ

139

କନକ ବ୍ୟୁରୋ : ବିଜେବି କଲେଜରେ ଆସିଥିବା ସାନି ରାଗିଂ ଅଭିଯୋଗକୁ ଖାରଜ କଲେ ଡିସିପି ପ୍ରତୀକ ସିଂ । ପ୍ରାଥମିକ ତଦନ୍ତ ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ରାଗିଂ ଅଭିଯୋଗ ଆଣିଥିବା ଛାତ୍ର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର । ତାଙ୍କର ସିନିୟର କେହି ନାହାନ୍ତି । ସେ ହଷ୍ଟେଲରେ ରୁହନ୍ତି ନାହିଁ ।

ଗତ ୬ ତାରିଖରେ ରୁଦ୍ର ଏବଂ ଆମ୍ବେଦକର ହଷ୍ଟେଲର ଛାତ୍ରଙ୍କ ମଧ୍ୟରେ ଗାଡି ଧକ୍କା ହେବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ରୁଦ୍ର ଏହାକୁ ନେଇ ଥାନାରେ ଏତଲା ଦେଇଥିଲେ । ଯେଉଁଥିରେ ଆମ୍ବେଦକର ହଷ୍ଟେଲର ଛାତ୍ରଙ୍କ ନାଁ ଉଲ୍ଲେଖ ରହିଛି । ବୁଧବାର ହଷ୍ଟେଲ ଛାତ୍ର ଏକାଠି ହୋଇ ଅଭିଯୋଗକାରୀକୁ ଏତଲା ପ୍ରତ୍ୟାହାର କରିବାକୁ ତାଗିଦ କରିଥିଲେ । ପରେ ଦୁଇ ପକ୍ଷ ମଧ୍ୟରେ ଠେଲାପେଲା ହୋଇଛି ।

ଯୁକ୍ତ ଦୁଇ କମର୍ସରେ ପଢ଼ୁଥିବା ଛାତ୍ର ରୁଦ୍ରନାରାୟଣ ପାତ୍ର ଅଭିଯୋଗ କରିଥିଲେ କି ତାଙ୍କୁ କଲେଜର କେତେକ ସୁପର ସିନିଅର ଛାତ୍ର ଡ. ବି.ଆର.ଆମ୍ବେଦକର ହଷ୍ଟେଲକୁ ନେଇ ମାଡ଼ ମାରିବା ସହିତ ତାଙ୍କ ପ୍ରତି ରାଗିଂ ଭଳି ଆଚରଣ କରିଥିଲେ । ଏହି ଘଟଣା ପରେ ହଷ୍ଟେଲର ମ୍ୟାନେଜର ଏହାକୁ ଅସ୍ୱୀକାର କରିଥିଲେ ଏବଂ ଏଭଳି କିଛି ଘଟିନାହିଁ ବୋଲି ବିବୃତି ଦେଇଥିଲେ । ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ବଚସା ହେତୁ ଏଭଳି ଅଭିଯୋଗ ଆସିଛି ବୋଲି କହିଥିଲେ ।

ଅନ୍ୟପକ୍ଷରେ ବିଜେବି କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର କହିଛନ୍ତି ଯେ ଆମ୍ବେଦକର ହଷ୍ଟେଲ ହେଉଛି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଙ୍କ ହଷ୍ଟେଲ। ଜଣେ ସୁପରିଟେଣ୍ଡେଣ୍ଟ୍ ସେହି ହଷ୍ଟେଲରେ ରହୁଛନ୍ତି। ସେଭଳି କିଛି ଖବର ଆସି ନାହିଁ । ରାଗିଂ ସମ୍ପର୍କରେ କୌଣସି ରିପୋର୍ଟ ମୋ ପାଖରେ ନାହିଁ । କେହି ଅଭିଯୋଗ କରିନାହାନ୍ତି । ମୁଁ ସୁପରିଟେଣ୍ଡେଣ୍ଟଙ୍କ ସହ କଥା ହୋଇଛି। ଆମ ପାଖରେ ଅଭିଯୋଗ କଲେ ଆମେ ଅନୁସନ୍ଧାନ କରିବୁ । ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।