ଖବର ପ୍ରସାରଣ ପରେ ତ୍ରୁଟି ସୁଧାରିବାକୁ ଚେଷ୍ଟା: ଖ୍ୟାତି ସମ୍ପନ୍ନ ବିଶିଷ୍ଟ କଥାକାର ମନୋଜ ଦାସଙ୍କ ସ୍ମୃତିପୀଠ ପାଇଁ ପ୍ରଶାସନର ହୋର୍ଡିଂକୁ କପଡା ଦ୍ୱାରା ଢଙ୍କାଗଲା

151

କନକ ବ୍ୟୁରୋ: ଖବର ପ୍ରସାରଣ ପରେ ତ୍ରୁଟିକୁ ଘୋଡ଼ାଇବାକୁ ଉଦ୍ୟମ । ମନୋଜ ଦାସଙ୍କୁ କବି ବୋଲି ଦର୍ଶାଇ କରାଯାଇଥିବା ଫଳକକୁ ଘୋଡ଼ାଇ ଦେଲା ପ୍ରଶାସନ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର, ବିଶିଷ୍ଟ ଔପନ୍ୟାସିକ, ପ୍ରାବନ୍ଧିକ ପଦ୍ମ ବିଭୂଷଣ ମନୋଜ ଦାସଙ୍କୁ କିଏ ବା ନଜାଣେ । ତାଙ୍କ ଜନ୍ମମାଟି ବାଲେଶ୍ୱର ଭୋଗରାଇ ବ୍ଲକ ଶଙ୍ଖାରୀ ଗାଁରେ ରାଜ୍ୟ ସରକାର ମନୋଜ ମନ୍ମଥ ସ୍ମାରକୀ ସ୍ମୃତିପୀଠ ନିର୍ମାଣ କରୁଛନ୍ତି । ୬ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ମନୋଜ ଦାସ ଏବଂ ତାଙ୍କ ଭାଇ ମନ୍ମଥନାଥ ଦାସଙ୍କ ସ୍ମୃତିରେ ଏହା ନିର୍ମାଣ କରାଯାଉଛି । କିନ୍ତୁ ସେଠାରେ ଲାଗିଥିବା ଫଳକରେ ମନୋଜ ଦାସଙ୍କ ଫଟୋଟିଏ ବି ନାହିଁ । ଯାହାକୁ ନେଇ ସାହିତ୍ୟିକମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ସେଠାରେ ଲାଗିଥିବା ଫଳକରେ ‘କବି’ ମନୋଜ ଦାସ ଲେଖାଯାଇଛି । ଜଣେ ବିଶିଷ୍ଟ କଥାକାର, ଔପନ୍ୟାସିକ, ପ୍ରାବନ୍ଧିକଙ୍କୁ କେବଳ କବି ବୋଲି ଲେଖିବାକୁ ବିରୋଧ କରିଛନ୍ତି ସାହିତ୍ୟିକ । ଏହି ଖବର ଗଣମାଧ୍ୟମରେ ବାରମ୍ବାର ପ୍ରସାରଣ ପରେ ନିଜ ତ୍ରୁଟିକୁ ଲୁଚାଇବାକୁ ଚେଷ୍ଟା କରିଛି ପ୍ରଶାସନ । ଲାଗିଥିବା ଫଳକକୁ ସଂପୂର୍ଣ୍ଣ ଭାବେ ଘୋଡ଼ାଇ ଦିଆଯାଇଛି । ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିକୃତିରେ ପ୍ୟାଂଟ କୋର୍ଟ ପିନ୍ଧାଇ ସମାଲୋଚନାର ଶିକାର ହୋଇଥିଲା ପ୍ରଶାସନ ।