ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀ ମୃତ: ବିବାହ ବିଚ୍ଛେଦ ପରେ ପୂର୍ବ ପତ୍ନୀଙ୍କୁ ନେଇ ବିମାନରେ ବସିଥିଲେ ଅଶୋକ ତ୍ରିପାଠୀଙ୍କ ପରିବାର

3,979

କନକ ବ୍ୟୁରୋ: ନେପାଳ ବିମାନ ଦୁର୍ଘଟଣାରେ ମୃତ ଓଡ଼ିଆ ପରିବାରକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସିଛି । ଅଶୋକ ତ୍ରିପାଠୀଙ୍କ ପରିବାର ନେପାଳ ବୁଲିବାକୁ ଯାଇଥିଲେ ଏବଂ ସେହି ସମୟରେ ଏହି ଦୁର୍ଘଟଣା ଘଟିଛି । ଅଶୋକ ତାଙ୍କ ପୂର୍ବ ପତ୍ନୀ ବୈଭବୀ ବନ୍ଦେକର ତ୍ରିପାଠୀ ଓ ଦୁଇ ପିଲାଙ୍କ ସହ ନେପାଳ ଯାଇଥିଲେ । କିଛି ବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । କିନ୍ତୁ ପୁଅ-ଝିଅ ମା’ ବୈଭବୀ ବନ୍ଦେକରଙ୍କ ସହ ମୁମ୍ବାଇରେ ରହୁଥିଲେ । ପରିବାରରେ ସେମାନେ ନିଷ୍ପତି କରିଥିଲେ ଯେ ବର୍ଷକରେ ୧୦ ଦିନ ସେମାନେ ଏକାଠି ରହିବେ ।

ସେହିକ୍ରମରେ ଏଥର ସେମାନେ ନେପାଳ ଯାଇଥିଲେ । ବୈଭବୀ ମୁମ୍ବାଇରେ ଜଣେ କର୍ମଜୀବୀ ମହିଳା । ତାଙ୍କ ପୁଅ ଧନୁଷ ଏବଂ ଝିଅ ରିତିକା ତାଙ୍କ ସହ ରହୁଥିଲେ । ଅଶୋକ ତ୍ରିପାଠୀ, ପୂର୍ବ ପତ୍ନୀ ବୈଭବୀ, ପୁଅ ଧନୁଷ ଓ ଝିଅ ରିତିକା ଏକାଠି ତାରା ଏୟାରଲାଇନ୍ସ ବିମାନରେ ବସିଥିଲେ । ସେମାନଙ୍କ ସହ ୧୩ ଜଣ ନେପାଳୀ, ୨ ଜଣ ଜର୍ମାନ ନାଗରିକ ଏବଂ ଓଡ଼ିଶାର ଏହି ଚାରିଜଣ ସେହି ବିମାନରେ ପୋଖରା ବୁଲିବାକୁ ଯାଉଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ନେପାଳ କର୍ତୃପକ୍ଷ କହିଛନ୍ତି, ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ତେବେ ଏଯାଏଁ ୧୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ।