ଆନ୍ଧ୍ରପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ । ଆଖି ଆଗରେ ସ୍ୱାହା ହୋଇଗଲା ଶୋରୁମର ୪୦୦ ବାଇକ୍

265

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଜୟୱାର୍ଡାରେ ଗୁରୁବାର ଦିନ ଏକ ବାଇକ ଶୋରୁମରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡରେ ୪୦୦ରୁ ଅଧିକ ବାଇକ୍ ପୋଡି ପାଉଁଶ ହୋଇଯାଇଛି । ଚେନ୍ନାଇ-କୋଲକତା ରାଜପଥ କେପି ନଗର ଠାରେ ଥିବା ଏକ ଟିଭିଏସ ଶୋରୁମରେ ଏହି ଅଗ୍ନିକାଣ୍ଡ ଘଟିଛି । ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କ କହିବା ମୁତାବକ ଏହି ଶୋରୁମରେ ୧ହଜାରରୁ ଅଧିକ ବାଇକ ଥିଲା । ତାହା ମଧ୍ୟରୁ ୪୦୦-୫୦୦ ବାଇକ୍ ଜଳି ପାଉଁଶ ହୋଇଯାଇଛି । ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବିଭାଗକୁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏବେ ନିଆଁ ଲାଗିବାର କାରଣ ଜାଣିବାକୁ ଚେଷ୍ଟା କରୁଛି ଅଗ୍ନିଶମ ବିଭାଗ । ସେପେଟ ଏହି ଭୟଙ୍କର ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର କ୍ଷତି ହୋଇଛି ।

ଟିଭିଏସର ଏହି ଶୋରୁମରେ ଉଭୟ ପେଟ୍ରୋଲ ଚାଳିତ ଓ ବିଦ୍ୟୁତ୍ ଚାଳିତ ବାଇକ ଓ ସ୍କୁଟି ଥିଲା । କୌଣସି କାରଣରୁ ଶୋରୁମରେ ନିଆଁ ଲାଗିବା ପରେ ଏହା ଶୋରୁମ ନିକଟରେ ଥିବା ଏକ ଗୋଦାମକୁ ମଧ୍ୟ ବ୍ୟାପି ଯାଇଥିଲା । ଖବର ପାଇ ୫ଟି ଦମକଳ ବାହିନୀ ସେଠାରେ ପହଂଚି ନିଆଁକୁ ଆୟତ କରିଥିଲେ । ହେଲେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚିବା ବେଳକୁ ନିଆଁ ସମ୍ପୂର୍ଣ୍ଣ ଭାବେ ଶୋରୁମକୁ କବ୍ଚା କରିସାରିଥିôଲା । ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ନେଇ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।