ଟି-୨୦ ବିଶ୍ୱକପ ଚମ୍ପିୟାନ ହେବା ପରେ ଟିମ୍ ଇଣ୍ଡିଆକୁ ଛୁଟିଲା ପ୍ରଶଂସାର ସୁଅ ,ଖେଳାଳିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ।

79

କନକବ୍ୟୁରୋ: ଏ ହେଉଛି ସେହି ଐତିହାସିକ ମୁହୂର୍ତ, ଯାହାକୁ ଅପେକ୍ଷା କରି ରହିଥିଲେ ୧୪୦ କୋଟି ଭାରତୀୟ । ୧୩ ବର୍ଷ ପରେ ପୁଣି ଏକ ବିଶ୍ୱକପ୍, ୧୭ ବର୍ଷ ପରେ ପୁଣିଥରେ ଟି-୨୦ ବିଶ୍ୱକପ୍ ଚମ୍ପିୟାନ ହୋଇ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଏହା ସହ ୱେଷ୍ଟଇଣ୍ଡିଜର ବାର୍ବାଡୋସ ଷ୍ଟାଡିୟମରେ ଛାଡ଼ିଯାଇଛି ଅନେକ ଅଭୁଲା ସ୍ମୃତି । ବିଜୟ ମୁହୁର୍ତରେ ଷ୍ଟାଡିୟମରେ ଯେପରି ଭାବବିହ୍ୱଳ ହୋଇ ପଡିଥିଲେ ରୋହିତ ବାହିନୀ, ସେହିପରି ଭାରତରେ ଉତ୍ସବମୁଖର ହୋଇ ଉଠିଥିଲେ ଦେଶବାସୀ ।

ଖୁସିରେ ଖେଳାଳିଙ୍କ ଆଖିରେ ଲୁହ ବୋହୁଥିଲା, ଏପଟେ ଖୁସିରେ ଆତ୍ମହରା ହୋଇ ଯାଇଥିଲେ ଭାରତୀୟ କ୍ରିକେଟ୍ ପ୍ରେମୀ ।
ଶନିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ରୋମାଂଚକର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ୧୫ ତମ ଓଭରରେ ଅକ୍ସର ପଟେଲଙ୍କୁ ନିସ୍ତୁକ ପ୍ରହାର କରି କ୍ଲାସେନ୍ ୨୪ ରନ୍ ସଂଗ୍ରହ କରିଥିଲେ । ମ୍ୟାଚ୍ର ନିୟନ୍ତ୍ରଣ ଆଉ ଭାରତ ହାତରେ ନଥିଲା । ସମସ୍ତେ ନିରାଶ ହୋଇ ପଡ଼ିଥିଲେ । ହେଲେ ଶେଷ ୪ ଓଭର ନାଟକୀୟ ମୋଡ ନେଇଥିଲା ମ୍ୟାଚ ।
କେମିତି ଚାମ୍ପିଅନ୍ ହେଲା ଭାରତ?

୧୬ ତମ ଓଭରରେ ମାତ୍ର ୪ ରନ୍ ଦେଇଥିଲେ ବୁମ୍ରା
– ୧୭ ତମ ଓଭରର ପ୍ରଥମ ବଲରେ ହିଁ କ୍ଲାସେନ୍ଙ୍କ ୱିକେଟ୍ ନେଇଥିଲେ ହାର୍ଦ୍ଦିକ୍
– ୧୮ ତମ ଓଭରରେ ଦୁଇ ରନ୍ ଦେଇ ମାର୍କୋ ଜାନ୍ସେନ୍ଙ୍କୁ ଆଉଟ୍ କରିଥିଲେ ବୁମ୍ରା
– ୧୯ ତମ ଓଭରରେ ବି ମାତ୍ର ୪ ରନ୍ ଦେଇଥିଲେ ଅର୍ଶଦୀପ ସିଂ
– ଶେଷ ଓଭରରେ ପାଣ୍ଡ୍ୟାଙ୍କ ପ୍ରଥମ ବଲରେ ଛକା ମାରିବାକୁ ଯାଇ ଆଉଟ୍ ହେଲେ ମିଲର
– ବିଜୟଠାରୁ ୭ ରନ୍ ଦୂରରେ ରହିଯାଇଥିଲା ଦକ୍ଷିଣ ଆଫ୍ରିକା

ସୂର୍ଯ୍ୟ କୁମାରଙ୍କ ବିଶ୍ୱବିଜୟୀ କ୍ୟାଚ କ୍ୟାଚ୍ ଜିତାଏ ମ୍ୟାଚ୍ । ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହାର ପ୍ରମାଣ ଦେଖିବାକୁ ମିଳିଛି । ଯେତେବେଳେ ଶେଷ ଓଭରରେ ବୋଲିଂ କରିବାକୁ ଆସିଥିଲେ ହାର୍ଦ୍ଦିକ୍ ପାଣ୍ଡ୍ୟା, ସେତେବେଳେ ସାମ୍ନାରେ ଥିଲେ ବିସ୍ଫୋରକ ଡେଭିଡ୍ ମିଲର । ପ୍ରଥମ ବଲ୍ରେ ଛକା ମାରିବାକୁ ଚେଷ୍ଟା କରିଥିଲେ ମିଲର । ଲଙ୍ଗ ଅଫ୍ରେ ଫିଲ୍ଡିଂ କରୁଥିଲେ ସୂର୍ଯ୍ୟକୁମାର ଯାଦବ । ଏକ ଅସମ୍ଭବ କ୍ୟାଚକୁ ସମ୍ଭବ କରି ଭାରତର ବିଜୟକୁ ସୁନିଶ୍ଚିତ କରିଥିଲେ ସୂର୍ଯ୍ୟକୁମାର ।

ବିଜୟ ପରେ ଏପରି କିଛି ଦୃଶ୍ୟ ସାମ୍ନାୁ ଆସିଛି, ଯାହା କ୍ରିକେଟପ୍ରେମୀଙ୍କ ଭାବାବେଗକୁ ବହୁଗୁଣିତ କରିଛି । ପଡ଼ିଆରେ ଖେଳାଳିଙ୍କ ଆଖିରେ ଲୁହ । ସଫଳତା ଦେଇଥିବା ଷ୍ଟାଡିୟମକୁ ସାଷ୍ଟାଙ୍ଗ ମୁଣ୍ଡିଆ ମାରି ମାଟିକୁ ପ୍ରସାଦ ଭଳି ଖାଇ ଦେଇଥିଲେ ଅଧିନାୟକ ରୋହିତ ଶର୍ମା । ଭାରତର ଜାତୀୟ ପତାକାକୁ ଷ୍ଟାଡିୟମରେ ପୋତି କୋଟି କୋଟି ଭାରତୀୟଙ୍କ ମନରେ ଜାତୀୟତା ଭରି ଦେଇଥିଲେ ରୋହିତ । ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରାଙ୍କ ଠାରୁ ଆରମ୍ଭ କରି ସମସ୍ତ ଖେଳାଳି ଓ ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡ ଭାବବିହ୍ୱଳ ହୋଇ ଉଠିଥିଲେ । ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଆଉ ଦେଖିବାକୁ ମିଳିବନି ବିରାଟ କେହଲି ଓ ରୋହିତ ଶର୍ମାଙ୍କ ଛକା ଓ ଚୌକା । ବିଶ୍ୱ ଚମ୍ପିଆନ୍ ପରେ ବିଶ୍ୱର ଏହି ଦୁଇ ସୁପରଷ୍ଟାର ଅବସର ଘୋଷଣା କରିଛନ୍ତି । ତାଙ୍କ ପଥ ଅନୁସରଣ କରି ଆଜି ରବୀନ୍ଦ୍ର ଜାଡେଜା ମଧ୍ୟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟକୁ ଆଲବିଦା କହିଛନ୍ତି ।