ଭଦ୍ରକ ଚାନ୍ଦବାଲିରେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ,ପୀଡ଼ିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଚିିକିତ୍ସା କରାଇଲା ପୋଲିସ ।

157

କନକବ୍ୟୁରୋ: କାମ କରିବେ, ଅର୍ଥ ରୋଜଗାର କରିବା ଆଶାରେ ସେ ଘରୁ ବାହାରକୁ ଆସିଥିଲେ । ହେଲେ କେବେ ଜାଣିନଥିଲେ ଜୀବନରେ ଏତେ ବଡ଼ ଅଘଟଣ ଘଟିଯିବ । ବିଲକାମ କରିବାକୁ ଆସି ଗଣଦୁଷ୍କର୍ମର ଶିକାର ହେଲେ ଆଦିବାସୀ ମହିଳା । ଭଦ୍ରକ ଚାନ୍ଦବାଲି ଅଂଚଳର ଏହି ଘଟଣା ଏବେ ଚାଂଚଲ୍ୟ ସୃଷ୍ଟି କରିଛି । ପୋଲିସ୍ କହିବା ଅନୁଯାୟୀ, ମହିଳା ଜଣକ ଚାଷ କାମ କରିବାକୁ ୨୫ ତାରିଖରେ ଆସିଥିଲେ । ହେଲେ ସେ ଯାହା ପାଖରେ କାମ କରିବା କଥା, ସଂଜୟ ଦାସ ନାମକ ବ୍ୟକ୍ତି ତାଙ୍କୁ ଫେରାଇ ଦେଇଥିଲେ । ମହିଳା ଜଣକ ନିଶାଗ୍ରସ୍ତ ଥିବା କହି ସେ ଫେରାଇ ଦେଇଥିଲେ ।

ଫଳରେ ଅଟୋରେ ଆଦିବାସୀ ମହିଳା ଜଣକ ଚାନ୍ଦବାଲି ଫେରୁଥିଲେ । ଏହି ସମୟରେ ସଂଜୟଙ୍କ ୩ ସାଙ୍ଗ ପ୍ରଦୀପ ଦାସ, ସଂସରା ଦାସ, ଧୁକୁଡ଼ା ଦାସ କାମ ଦେବାକୁ କହି ପୀଡ଼ିତାଙ୍କୁ ମୋଟରସାଇକେଲରେ ବସାଇ ନେଇଥିଲେ । ହେଲେ ବିଲ ମଝିରେ ତିନି ଜଣ ମିଶି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହାପରେ ତାଙ୍କୁ ସେଠାରେ ଛାଡ଼ିଦେଇଯାଇଥିଲେ । ଆଉ ପୀଡ଼ିତାଙ୍କ ନିଶା ଛାଡ଼ିବା ପରେ ସେ ଚିକ୍ରାର କରି ଡାକ ପକାଇଥିଲେ । ଏହାପରେ କିଛି ସ୍ଥାନୀୟ ଲୋକ ସେଠାରେ ଜମା ହୋଇ ପୁଲିସକୁ ଖବର ଦେଇଥଲେ । ପୁଲିସ୍ ପହଂଚି ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା କରାଇଥିଲେ ।

ପୋଲିସ ପୀଡ଼ିତାଙ୍କ ଠାରୁ ସବୁ ଶୁଣିବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ । ଏହାପରେ ଅଭିଯୁକ୍ତମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି ।