କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ସରିଲା ନାମାଙ୍କନ, ମୈଦାନରେ ନୂଆ ଚେହେରା କେ.ଏନ ତ୍ରିପାଠୀ

149

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ଆଜି ଏହାର ଅନ୍ତ ଘଟିଛି । ଦଳର ୩ ଜଣ ନେତା ଆଜି ଶେଷ ତାରିଖରେ ନାମାଙ୍କନ ଭରିଛନ୍ତି । ପ୍ରଥମେ ଶଶି ଥରୁରୁ ନାମାଙ୍କନ ଭରିଥିବା ବେଳେ ଦ୍ୱିତୀୟରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ନାମାଙ୍କନ ଭରିଛନ୍ତି । ଏହାସହ ଝାଡଖଣ୍ଡ କଂଗ୍ରେସର ନେତା କେ.ଏନ ତ୍ରିପାଠୀ ମଧ୍ୟ ନାମାଙ୍କନ ଭରିଥିବା ଜଣାପଡିଛି । ହେଲେ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ଶଶିଥରୁରଙ୍କର ମଲ୍ଲିକାର୍ଜୁନ ଖଡଗେଙ୍କ ସହ ମୁକାବିଲା ହେବ ବୋଲି କୁହାଯାଉଛି ।

ହଠାତ ଚର୍ଚ୍ଚାରେ ନଥିବା ଝାଡଖଣ୍ଡ କଂଗ୍ରେସ ନେତା କେ.ଏନ ତ୍ରିପାଠୀ ନାମାଙ୍କନ ଭରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ସେ ପାର୍ଟିର ଅଧ୍ୟକ୍ଷପଦ ପାଇଁ ନାମାଙ୍କନ ଭରିଛନ୍ତି । ହେଲେ ଦଳର ହାଇକମାଣ୍ଡ ଯାହା କହିବେ ସେ ତାକୁ ଗ୍ରହଣ କରିବେ ।

ସେପଟେ ଅଧ୍ୟକ୍ଷ ପଦ ରେସରେ ସବୁଠାରୁ ବେଶି ଚର୍ଚ୍ଚାରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ରେସରୁ ବାଦ ପଡିବା ପରେ ଆଜି ମଲ୍ଲିକାର୍ଜୁନ ଖଡଗେଙ୍କ ନାମାଙ୍କନ ବେଳେ ସେ ପ୍ରସ୍ତାବକ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ପଦ ପାଇଁ ହଠାତ ଚର୍ଚ୍ଚାକୁ ଆସି ପୁଣି ବାଦ ପଡିଥିବା ଦିଗବିଜୟ ସିଂ କହିଛନ୍ତି କି, ମୁଁ ସାରା ଜୀବନ କାମ କରିଛି ଓ ଆଗାମୀ ଦିନରେ ମଧ୍ୟ କାମ କରିବି । ଏହାସହ ଦେଶରେ ସାଂପ୍ରଦାୟିକ ସଦଭାବକୁ ନଷ୍ଟ କରୁଥିବା ଲୋକଙ୍କ ବିରୋଧରେ ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି ।

 

ଅନ୍ୟପଟେ ନାମାଙ୍କନ ଭରିବା ପରେ ଶଶି ଥରୁର ମଧ୍ୟ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି କି ମୋ ପାଖରେ ୧୨ ଟି ରାଜ୍ୟର କାର୍ଯ୍ୟକର୍ତ୍ତାଙ୍କ ସମର୍ଥନ ରହିଛି । ଏବେ ଦଳକୁ ମଜବୁତ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି ।