ଉତ୍ତରପ୍ରଦେଶ ହାଥରସ ସତସଙ୍ଗ କେନ୍ଦ୍ରରେ ଦଳା ଚକଟା । ମୃତ୍ୟୁ ସଂଖ୍ୟା ଶହେ ଟପିଲା

316

କନକ ବ୍ୟୁରୋ: ୟୁପି ହାଥରସରେ ବଡ଼ ଅଘଟଣ। ସିକନ୍ଦରାବାଦ ନିକଟ ଫୁଲେର ଗାଁରେ ସତସଙ୍ଗ ଚାଲିଥିଲା ବେଳେ ଦଳାଚକଟାରେ ୧୦୭ ଜଣଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମ ଅନୁସାରେ ସକର ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଏଭଳି ଘଟଣା ଘଟିଛି । ମୃତକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛିା ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଉଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ ଆଜି ଫୁଲେର ଗାଁରେ ଭୋଲେ ବାବାଙ୍କ ସତସଙ୍ଗ ଚାଲିଥିଲା । ପ୍ରବଚନ ଶୁଣିବାକୁ ଅସମ୍ଭାଳ ଭିଡ଼ ହୋଇଥିଲା । ଭୋଲେ ବାବା ପ୍ରବଚନ ଦେଇ କାର୍ଯ୍ୟକ୍ରମସ୍ଥଳ ଛାଡିବା ପରେ ଶ୍ରଦ୍ଧାଳୁଙ୍କୁ ଛାଡିଥିଲେ ଆୟୋଜକ କମିଟି । ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଥିବା ଶ୍ରଦ୍ଧାଳୁ ଶୀଘ୍ର ଟେଣ୍ଟରୁ ବାହାରିବାକୁ ଉଦ୍ୟମ କରିବାରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ୧୭ ବର୍ଷ ତଳେ ପୋଲିସ ଚାକିରି ଛାଡ଼ି ଧାର୍ମିକ ପ୍ରବଚନ ଦେବା ଆରମ୍ଭ କରିଥିଲେ ଭୋଲେ ବାବା । କୁହାଯାଉଛି ହାଥରସ ଓ ଏହାର ଆଖପାଖ ଅଞ୍ଚଳରେ ହଜାର ହଜାର ଲୋକ ଭୋଲେ ବାବାଙ୍କ ଅନୁଗାମୀ । ସେପଟେ ଦଳାଚକଟା ଘଟଣାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ମେଡିକାଲରେ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପାଇଁ ଦୁଇ ଲକ୍ଷ ଓ ଆହତ ମାନଙ୍କ ପାଇଁ ପଚାଶ ହଜାର ଲେଖାଁଏ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ କେମିତି ଓ କେଉଁ ପରିସ୍ଥିତିରେ ଅଘଟଣ ଘଟିଲା ଏହାର ଯାଞ୍ଚ କରିବାକୁ ଏଡିଜି ଆଗ୍ରା ଓ ଆଲିଗଡ଼ ପୋଲିସ କମିଶନରଙ୍କୁ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକ୍ରମ ଆୟୋଜକଙ୍କ ଉପରେ ବିରୋଧରେ ମାମଲା ରୁଜୁ କରିବା ସହ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛିା ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ବଡ଼ ଅଘଟଣକୁ ନେଇ ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ ଦୁଃଖ ପ୍ରକାଶ କରିଥିବା ବେଳେ ସଂସଦରେ ନିଜ ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ପ୍ରକାଶ କରିଛନ୍ତିା