ପାଣି ନାହିଁ ତ ଭୋଟ୍ ନାହିଁ । ରାସ୍ତାରେ ବସି ଗାଁ ଲୋକଙ୍କ ପ୍ରତିବାଦ ପାଣି ଓ ରାସ୍ତା କାମ ନହେଲେ ଭୋଟ୍ ବର୍ଜନ କରିବାକୁ ଦେଲେ ଚେତବାନୀ ।

79

କନକବ୍ୟୁରୋ : ପାଣି ନାହିଁ ତ ଭୋଟ ନାହିଁ । ପାଣି ଯୋଗୁ ଡହଳ ବିକଳ ହେଉଥିବା ଗ୍ରାମବାସୀ ଏବେ ରାସ୍ତା ଉପରେ ବସିଛନ୍ତି । ଲୋକଙ୍କ ଗୋଟିଏ ଜିଦ୍ । ଗାଁକୁ ପାଣି ଦେଲେ ଆମେ ଭୋଟ୍ ଦେବୁ । ଗରା ବାଲଟି ଧରି ଗାଁର ଛୋଟରୁ ବଡ ସମସ୍ତେ ଧାରଣା ଦେଇଛନ୍ତି । ଏ ଦୃଶ୍ୟ ହେଉଛି ଅନୁଗୁଳ କୋଠଭୂଇଁ ଗ୍ରାମପଂଚାୟତ ଦଲକି ଗାଁର ଦୃଶ୍ୟ । ବର୍ଷ ପରେ ବର୍ଷ ଗଡି ଚାଲିଛି ହେଲେ ଗାଁର ସମସ୍ୟା ସୁଧୁରିପାରିନି । ଗାଁରେ ଭଲ ରାସ୍ତାଟିଏ ନଥିବା ବେଳେ ପାଣି ସମସ୍ୟା ଲାଗି ରହିଛି ।

ଏବେ ଖରା ଦିନରେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ସମସ୍ୟାର ସମାଧାନ ପାଇଁ ବାରମ୍ବାର ଗୁହାରୀ କରିଛନ୍ତି । ହେଲେ ଗ୍ରାମବାସୀଙ୍କ ସମସ୍ୟା ଶୁଣିବାକୁ ଯେମିତି କେହି ନାହିଁ । ଗାଁର ଲୋକେ ପାଣି ମୁନ୍ଦାଏ ପାଇଁ ଦୂରରେ ଥିବା ଚୂଆରୁ ପାଣି ପିଉଛନ୍ତି ଗରା ବାଲଟି ନେଇ ଚୂଆର ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହୋଇପଡିଛନ୍ତି । ଆଉ ରାସ୍ତାନଥିବାରୁ ଗାଁକୁ ଆମ୍ବୁଲାନ୍ସ ବି ଯାଇପାରୁନି । ଯାହାର ବିରୋଧ କରିବା ସହ ରାସ୍ତା ଉପରେ ବସି ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।

ଗାଁରେ ରାସ୍ତା ନଥିବାରୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ରୋଗୀ ବୁହାହୋଇ ଯାଉଛନ୍ତି । ସେତିକିରେ ସମସ୍ୟା ଶେଷ ହୋଇନି । ବର୍ଷା ଦିନରେ ଗାଁର ଲୋକଙ୍କ ଅବସ୍ଥା ବେହାଲ ହୋଇପଡୁଛି । ଅଳ୍ପ ବର୍ଷାରେ ବି ଜଳବନ୍ଦୀ ହୋଇପଡନ୍ତି ଗାଁର ଲୋକମାନେ । ସମସ୍ୟା ଦୂର କରିବାକୁ ଅନୁରୋଧ କରି ନିରାଶ ହୋଇପଡିଥିବା ବେଳେ ଏବେ ରାସ୍ତା ଉପରେ ସବି ରହିଛନ୍ତି । ସମାଧାନ ନହେଲେ ଧାରଣାରୁ ଉଠିବୁନି କି ଭୋଟ୍ ବି ଦେବୁନି ବୋଲି କହିଛନ୍ତି ଗାଁର ଲୋକମାନେ । ବର୍ଷ ବର୍ଷ ଧରି ଗାଁରେ ସମସ୍ୟା ଲାଗି ରହିଥିବା ବେଳେ ସମାଧାନ କରାଯାଉନି । ତେବେ କାମ ନହେଲେ ଚଳିତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ଗାଁର ଲୋକ ଚେତବାନୀ ଦେଇଛନ୍ତି ।