ଦିଗପହଣ୍ଡି ଦୁର୍ଘଟଣା: ହସଖୁସିରେ ହାତଗଣ୍ଠି ଫିଟାଇଥିଲେ ସାନ ଭଉଣୀ ରୁପାଲି । କିଛି ଘଣ୍ଟା ପରେ ଦୁର୍ଘଟଣାରେ ଚାଲିଗଲା ଜୀବନ 

1,394

କନକ ବ୍ୟୁରୋ: ବସ ଦୁର୍ଘଟଣାରେ  ପ୍ରାଣ ହରାଇଛନ୍ତି  କନ୍ୟାଙ୍କ ଉଭଣୀ ରୁପାଲି ପ୍ରଧାନ । ଭିଣୋଇ-ବଡ ଭଉଣୀଙ୍କ ହାତଗଣ୍ଠି ଖୋଲି ଖୁସିରେ ଘରକୁ ଫେରୁଥିଲେ ରୁପାଲି  । କିନ୍ତୁ ଦୁର୍ଘଟଣାରେ ଯାଇଛି ତାଙ୍କ ଜୀବନ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରୁପାଲିଙ୍କ ମୁଣ୍ଡକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

କିଏ ଜାଣିଥିଲା ଖୁସିର ଆୟୁଷ ସରିଯାଉଛି । କିଏ ଜାଣିଥିଲା, ରାତି ପାହିଲା ବେଳକୁ କାହାଣୀ ସରିଯିବ । ହସ, ଲୁହରେ ବଦଳିଯିବ । ଉତ୍ସବ, ଶୋକରେ ପାଲଟିଯିବ । କେତେ ଖୁସିରେ ଭଉଣୀ ବାହାଘରକୁ ଆସିଥିଲେ ରୁପାଲି ପ୍ରଧାନ । ବଡ଼ ଭଉଣୀର ହାତ ଗଣ୍ଠି ଖୋଲିବେ । ଭିଣୋଇ ଆଣିଥିବା ଉପହାର ଖୁସିରେ ସାଉଁଟି ନେବେ । ହାତ ଗଣ୍ଠି ଖୋଲିବା ସମୟରେ ରୁପାଲିର ମୁହଁରେ କେତେ ଖୁସି ଥିଲା । ଏଇ ଖୁସି ଟିକକ ପାଇଁ ତ’ ପରୀକ୍ଷା ଥିବା ସତ୍ୱେ ବାହାଘରକୁ ଆସିଥିଲେ । ବାହାଘର ସରିବା ପରେ ପରିବାର ଲୋକ କେତେ ବାରଣ କରିଥିଲେ । ଝିଅରେ ଆଜି ରାତିରେ ଭଉଣୀ ପାଖରେ ରହି ଯା’ । କାଲି ପରୀକ୍ଷା ଅଛି ସକାଳୁ ଆରାମରେ ଆସିବୁ । ହେଲେ ମୃତ୍ୟୁ ଯେମିତି ରୁପାଲିଙ୍କୁ ଡାକି ନେବା ପାଇଁ କଠୋର ନିଷ୍ପତି କରିସାରିଥିଲା ।

ରୁପାଲି ପ୍ରଧାନ । ମାତ୍ର ୨୦-୨୨ ବର୍ଷର ଝିଅଟିଏ । ମୁଣ୍ଡ ଉପରେ ନଥିଲା ବାପାଙ୍କ ଆଶୀର୍ବାଦର ହାତ । ବାପ ଛେଉଣ୍ଡ ଝିଅଟିର ସଂସାର କହିଲେ, ତିନି ଭଉଣୀ ଏବଂ ବିଧବା ମା’ । ବଡ଼ ଭଉଣୀ ବାହା ହୋଇସାରିଥିଲେ । ମଝିଆଁ ଭଉଣୀର ବାହାଘରକୁ ଆସିଥିଲେ । ମନରେ କେତେ ସ୍ୱପ୍ନ ଥିଲା । ପାଠ ପଢ଼ିବେ, ପରିବାର ଲୋକଙ୍କ ସ୍ୱପ୍ନ ପୁୁରଣ କରିବେ । ହେଲେ, ସବୁ ଆଶା-ଆଶାରେ ରହିଗଲା । ରୁପାଲିର ମୃତ୍ୟୁର କାହାଣୀ ଏତେ ବୟାନ ଥିଲା ଯେ, କହିଲା ବେଳକୁ ଲୋମ ଟାଙ୍ଗୁରି ଉଠୁଛି । ଦୁର୍ଘଟଣାଗ୍ରସ୍ତ ବସରେ ରୁପାଲିଙ୍କ ମୁଣ୍ଡକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ଦୁର୍ଘଟଣା ସବୁ ବେଳେ ଦୁଃଖଦାୟକ । ହେଲେ ଦିଗପହଣ୍ଡି ଦୁର୍ଘଟଣା କାହା କୋଳ ଖାଲି କରିଦେଇଛି ତ ଆଉ କାହାର ସିନ୍ଥିର ସିନ୍ଦୁର ପୋଛି ଦେଇଛି । ରୁପାଲିଙ୍କ ଭଳି ଝିଅ, ସବୁଦିନ ପାଇଁ ଆପଣଙ୍କଠାରୁ ଦୂରେଇ ଯାଇଛନ୍ତି ।