ସାରା ବିଶ୍ୱରେ ପାଳିତ ହେଉଛି ଯୋଗ ଦିବସ । ୨୦୨୨ ପାଇଁ ସ୍ଳୋଗାନ୍ ‘ମାନବ ଜାତି ପାଇଁ ଯୋଗ’

244

କନକ ବ୍ୟୁରୋ: ବିଶ୍ୱ ସଂସ୍ଥା ଅନୂୁଯାୟୀ ସମ୍ପୂର୍ଣ୍ଣ ଓ ସୁସ୍ଥ ଶରୀର, ମନ, ସମାଜ ଓ ଆଧ୍ୟାତ୍ମିକ ଜୀବନ ପାଇଁ ଯୋଗ ହେଉଛି ଏକ ସର୍ବୋକ୍ରୃଷ୍ଟ ମାଧ୍ୟମ । ତେବେ ଚଳିତ ବର୍ଷ ଯୋଗ ଦିବସ ଉପଲକ୍ଷେ ଥିମ୍ ରହିଛି ‘ମାନବ ଜାତି ପାଇଁ ଯୋଗ’ ।

ଯୋଗ , ଭାରତର ଏକ ପ୍ରାଚୀନ ସଂସ୍କୃତି । ଏହା ମନ , ଶରୀର ଓ ଆତ୍ମାର ମିଳନ କରିଥାଏ । ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହା ମନକୁ ଶାନ୍ତ କରିଥାଏ । ଦୁନିଆକୁ ଆମର ଏହି ପ୍ରାଚୀନ କଳା ଓ ଏହାର ସୁଫଳ ସମ୍ପର୍କରେ ଅବଗତ କରାଇବା ପାଇଁ ଆମ ଦେଶର ନେତୃତ୍ୱରେ ପୁରା ବିଶ୍ୱ ପାଳନ କରୁଛି ଯୋଗ ଦିବସ ।

୨୦୧୪ ମସିହାରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଭାଷଣ ଦେଉଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଥିବା ଅନ୍ୟ ଦେଶର ପ୍ରତିନିଧିଙ୍କୁ ଯୋଗର ମହତ୍ୱ ସମ୍ପର୍କରେ ବୁଝାଇବା ସହ ଜୁନ୍ ୨୧ ତାରିଖକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଯୋଗ ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ତାଙ୍କର ଏହି ପ୍ରସ୍ତାବ ଉପରେ ଆମେରିକା, କାନାଡା, , ଚୀନ ସମେତ ପାଖାପାଖି ୧୯୩ଟି ଦେଶର ସଦସ୍ୟମାନେ ସକାରାତ୍ମକ ମୋହର ଲଗାଇଥିଲେ । ଓ ୨୦୧୫ରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଜୁନ୍ ୨୧ ତାରଖକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି ।
ଜୁନ୍ ୨୧ ଦିନଟିର ରହିଛି ଏକ ବିଶେଷ ମହତ୍ତ୍ୱ । କାରଣ ଏହା ହେଉଛି ବିଶ୍ୱର ସବୁଠାରୁ ଲମ୍ବା ଦିନ । ଜ୍ୟେତିଷ ବିଜ୍ଞାନ ଅନୁସାରେ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତି ପାଇଁ ଏହା ହେଉଛି ଉଚିତ ସମୟ ଓ ଦିନ । ଶରୀର ଓ ମନ ଉପରେ ଯୋଗର ପ୍ରବଳ ପ୍ରଭାବ ରହିଛି । ମନ, ମସ୍ତିଷ୍କ ଓ ଆତ୍ମା ଉଚିତ ସନ୍ତୁଳନ ରକ୍ଷା କରିଥାଏ । ଯୋଗ ଏକ ଭିନ୍ନ ଓ ସ୍ୱତନ୍ତ୍ର ବିଜ୍ଞାନ, ଯାହା କେଉଁ ଆଦିମ କାଳରୁ ମୁନି ଋଷି ମାନେ ସାଧନ କରିଆସୁଛନ୍ତି । ଯୋଗର ୫୦୦୦ ବର୍ଷ ପୁରୁଣା ଇତିହାସ ରହିଛି । ଯୋଗ ଶରୀରରୁ ରୋଗ ମୁକ୍ତ କରିବା ସହ ମନକୁ ଶାନ୍ତ ରଖେ ଓ ଏକାଗ୍ରତା ବୃଦ୍ଧି କରିଥାଏ । ତେବେ ନିୟମିତ ଯୋଗ ଦ୍ୱାରା ହିଁ ଜଣେ ମନୁଷ୍ୟ ଏକ ସୁସ୍ଥ ଶରୀର ଅଧିକାରୀ ହୋଇପାରିବ ।