ସୌରଭ ଗାଙ୍ଗୁଲିଙ୍କୁ ଟ୍ୱିଟ୍ କରି ସମର୍ଥନ ମାଗିଲେ ବଜରଙ୍ଗ ପୁନିଆ, ଗାଙ୍ଗୁଲି କହିଲେ …..

529

କନକ ବ୍ୟୁରୋ : କୁସ୍ତିଯୋଦ୍ଧାଙ୍କ ଧାରଣାକୁ ନେଇ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବୟାନ ଆସିଛି । ଗାଙ୍ଗୁଲି କହିଛନ୍ତି କି, ସେମାନଙ୍କୁ ସେମାନଙ୍କର ଲଢେଇ ଲଢିବାକୁ ଦିଆଯାଉ । ଏହାସହ ସେ କହିଛନ୍ତି ସେଠାରେ କଣ ଚାଲିଛି ତାଙ୍କୁ ଜଣାନାହିଁ । ଏସବୁ ସେ କେବଳ ଗଣମାଧ୍ୟମରୁ ଖବର ପାଇଛନ୍ତି । ହେଲେ ଖେଳରେ ସେ ଗୋଟିଏ କଥା ଶିଖିଥିବା କହିଛନ୍ତି । ତାହା ହେଉଛି ସେହି ବାବଦରେ ଆଲୋଚନା କରନାହିଁ ଯେଉଁ ବାବଦରେ ଆପଣଙ୍କ ପାଖରେ ସମ୍ପୂର୍ଣ୍ଣ ସୂଚନା ନାହିଁ ।

କହିରଖୁ କି ଭାରତୀୟ କୁସ୍ତସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ନାମରେ ଉତ୍ପୀଡନ ଅଭିଯୋଗ ଆଣି କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଜନ୍ତରମନ୍ତର ଠାରେ ୧୦ ଦିନରୁ ଅଧିକ ହେବ ଧାରଣାରେ ବସିଛନ୍ତି । ତାଙ୍କ ଧାରଣାକୁ ସମର୍ଥନ ଜଣାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ବାମଦଳର ନେତାମାନେ କୁସ୍ତଯୋଦ୍ଧାଙ୍କ ଧାରଣା ସ୍ଥଳରେ ପହଂଚିଥିଲେ । ସେପଟେ ଧାରଣାରେ ବସିଥିବା ବଜରଙ୍ଗ ପୁନିଆ ଏକ ଟ୍ୱିଟ କରି ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ ମାଗିଥିଲେ । ଏହାର ଉତରରେ ସୌରଭ ଗାଙ୍ଗୁଲି ଏକ ଟ୍ୱିଟ୍ କରିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି କି, ସେମାନଙ୍କ ଲଢେଇ ସେମାନଙ୍କୁ ଲଢିବାକୁ ଦିଆଯାଉ ।

 

ଅନ୍ୟପଟେ ଦିଲ୍ଲୀ ପୋଲିସ ଅଭିଯୋଗ ଗ୍ରହଣ କରିବାରେ ଡେରି କରୁଥିବା ନେଇ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗୁରୁବାର ଦିନ କୋର୍ଟ ଏହି ମାମଲାର ଶୁଣାଣି କରି କୁସ୍ତିଯୋଦ୍ଧାମାନଙ୍କୁ ତଳ କୋର୍ଟ କିମ୍ବା ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ ।