ଭାରତରେ ପ୍ରସ୍ତୁତ ୭ଟି କଫ୍ ସିରଫକୁ କଳାତାଲିକାଭୁକ୍ତ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଜାଣନ୍ତୁ କଣ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

265

କନକ ବ୍ୟୁରୋ : ଭାରତରେ ପ୍ରସ୍ତୁତ ହେଉଥିବା ୭ଟି କଫ୍ ସିରଫକୁ ବିଶ୍ୱ ସ୍ୱାସ୍ଥ୍ର ସଂଗଠନ କଳାତାଲିକାଭୁକ୍ତ କରିଛି । ଆଫ୍ରିକୀୟ ଦେଶ ଗାମ୍ବିଆ ସମେତ ବିଶ୍ୱର ୩୦୦ ଲୋକଙ୍କ ମୃତ୍ୟୁ ପରେ ଏହିସବୁ କଫ ସିରଫକୁ ବ୍ୟାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି କି, ନକଲି ଔଷଧକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ଏହାସହ ଔଷଧର ଗୁଣବତ୍ତା ସୁନିଶ୍ଚିତ କରିବାକୁ ବ୍ୟାପକ ବିଶ୍ଳେଷଣ କରାଯାଉଛି । ଭାରତ ଔଷଧ ପ୍ରସ୍ତୁତ ବେଳେ ଗୁଣବତ୍ତାରେ କୌଣସି ସାଲିସ କରିବନାହିଁ । ନକଲି ଔଷଧ ଖାଇ ଯେଭଳି କୌଣସି ଲୋକଙ୍କର ମୃତ୍ୟୁ ନହେଉ ତା ଉପରେ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସେପଟେ ଗାମ୍ବିଆରେ ୬୬ଜଣ ଶିଶୁଙ୍କ ମୃତ୍ୟୁ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତରେ ପ୍ରସ୍ତୁତ କଫ୍ ସିରଫକୁ ଦାୟି କରିଛି । ଅର୍ନ୍ତରାଷ୍ଟ୍ରୀୟ ଏଜେନ୍ସିରୁ ପ୍ରାପ୍ତ ସୂଚନା ମୁତାବକ କମ୍ପାନୀ ଓ ନିୟାମକ ଅଧିକାରୀ ସେହି କଫ ସିରଫ୍ କମ୍ପାନୀଗୁଡକ ଉପରେ ଯାଂଚ କରୁଛି ।

ସୂଚନା ମୁତାବକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେ ଭାରତ ଓ ଇଣ୍ଡୋନେସିଆର କଫ୍ ସିରଫ ଓ ଭିଟାମିନ୍ ଔଷଧ ପ୍ରସ୍ତୁତ କରୁଥିବା ୨୦ ଟି କମ୍ପାନୀ ଉପରେ ଯାଂଚ କରୁଛି । ଯାଂଚ କରୁଥିବା ଏଜେନ୍ସିର ଜଣେ ଅଧିକାରୀ କହିଛନ୍ତି କି, ଏସବୁ କଫ ସିରଫରେ ଆବଶ୍ୟକ ମାତ୍ରା ଠାରୁ ଅଧିକ ଡାୟାଥିଲିନ ଗ୍ଲୋଇକଲ ଓ ଏଥିଲିନ ଗ୍ଲୋଇକଲ ମିଶ୍ରଣ ହୋଇଥିଲା । ସେହିପରି ଯାଂଚ ଏଜେନ୍ସିର ମହା ନିର୍ଦ୍ଦେଶକ ଡ ଟେଡରୋସ.ଅଦନହୁସ ଗେବ୍ରେହେସୁସ କହିଛନ୍ତି କି, ଗାମ୍ବିଆରେ ୪ଟି କଫ୍ ସିରଫରୁ ଦୂଷିତ ପଦାର୍ଥ ମିଶ୍ରଣ ହୋଇଥିବା କାରଣରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଔଷଧ କାରଣରୁ ଗାମ୍ବିଆରେ ୬୬ ଜଣଙ୍କର ମୃତ୍ୟୁ ହୋଇଥିଲା ।