ପ୍ରେମ ପାଇଁ ସମୁଦ୍ର ପହଁରିଲେ ପ୍ରେମିକା । ବାଂଲାଦେଶରୁ ଆସି ଭାରତରେ ପହଞ୍ଚିଲେ ।

607

କନକ ବ୍ୟୁରୋ: ପ୍ରେମ ପାଇଁ ବାଂଲାଦେଶରୁ ପହଁରି ପହଁରି ଭାରତ ଆସିଲେ ପ୍ରେମିକା । ବାଂଲାଦେଶର କ୍ରିଷ୍ଣା ମଣ୍ଡଳ ଓ ଭାରତର ଅବିକ ମଣ୍ଡଳଙ୍କ ମଧ୍ୟରେ ଫେସବୁକରୁ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ହେଲେ ଭାରତ ଆସିବା ପାଇଁ କ୍ରିଷ୍ଣାଙ୍କ ପାଖରେ ପାସପୋର୍ଟ ନଥିଲା । ତେଣୁ ବେଆଇନ ଭାବେ ସେ ଭାରତ ଆସିବା ପାଇଁ ଯୋଜନା କରିଥିଲେ ।

ପୋଲିସର ସୂଚନା ମୁତାବକ, କ୍ରିଷ୍ଣା ପ୍ରଥମେ ମହାବଳ ବାଘ ପାଇଁ ଜଣାଶୁଣା ସୁନ୍ଦରବନରେ ପହଞ୍ଚିଲେ । ସେଠାରୁ ନଦୀରେ ପ୍ରାୟ ଏକ ଘଣ୍ଟା ଧରି ପହଁରି ପ୍ରେମିକଙ୍କ ପାଖରେ ପହଞ୍ଚିଥିଲେ । ସୁନ୍ଦରବନର ଘନ ଜଙ୍ଗଲ କି ଅଥଳ ସାଗରର ଗଭୀରତା ତାଙ୍କୁ ଭୟଭୀତ କରିପାରିନଥିଲା । ଗତ ତିନି ଦିନ ତଳେ ପ୍ରେମିକ ଅବିକଙ୍କୁ କୋଲକାତାର କାଳୀଘାଟ ମନ୍ଦିରରେ ବିବାହ କରିଛନ୍ତି କ୍ରିଷ୍ଣା । ତେବେ ବେଆଇନ ଭାବେ ଭାରତରେ ପ୍ରବେଶ କରିବା ନେଇ ତାଙ୍କୁ ଗତକାଲି ଗିରଫ କରାଯଇିଛି । କ୍ରିଷ୍ଣାଙ୍କୁ ବାଂଲାଦେଶ ହାଇକମିଶନଙ୍କୁ ହସ୍ତାନ୍ତର କରାଯିବ ।