ଓଡ଼ିଶାର ମାଟି ତଳେ ଗଚ୍ଛିତ ରହିଛି ସୁନା । ତିନି ଜିଲ୍ଲାରେ ସୁନାର ସନ୍ଧାନ । ଜାଣନ୍ତୁ, ଓଡିଶାର କେଉଁଠି କେଉଁଠି ଅଛି ସୁନା?

1,110

କନକ ବ୍ୟୁରୋ: ଦେବଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ମାଟି ତଳେ ଗଚ୍ଛିତ ରହିଛି ସୁନା ପଥର । ଦେବଗଡ଼ ଜିଲ୍ଲାର ଅଡ଼ାସ, କେନ୍ଦୁଝର ଜିଲ୍ଲାର ଗୋପପୁର, ଗାଜିପୁର, କୁଶକଳା, ଅଡ଼ାଳ, ସଳେଇକନା, ଡିମିରିମୁଣ୍ଡା ଓ କରଡ଼ଙ୍ଗା ଏବଂ ମୟୁରଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗୁଡ଼ା, ରୁଆଁସି, ଇଡ଼େଳକୁଟା, ମାରେଡ଼ିହି ଓ ସୁଲେଇପାଟ ଏବଂ ବାଦାମ ପାହାନ ଅଞ୍ଚଳରେ ମିଳିଛି ସୁନା ଖଣିର ସନ୍ଧାନ ।

  • ଓଡ଼ିଶା ମାଟି ତଳେ ସୁନା ଖଣିର ସନ୍ଧାନ
  • ରାଜ୍ୟର ୩ଟି ଜିଲ୍ଲାରେ ଗଚ୍ଛିତ ରହିଛି ସୁନା

ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ସରଗରମ ଚର୍ଚ୍ଚା ହେଉଥିବା ବେଳେ ବିଧାୟକ ସୁଧୀର ସାମଲ କରିଥିବା ପ୍ରଶ୍ନର ଯେଉଁ ଉତ୍ତର ଆସିଥିଲା, ତାହା ସରଗରମ ଚର୍ଚ୍ଚାକୁ ସାମାନ୍ୟ ଶାନ୍ତ କରିଦେଇଥିଲା । ସୁଧୀର ସାମଲଙ୍କ ପ୍ରଶ୍ନ ଥିଲା-ରାଜ୍ୟର କୌଣସି ସ୍ଥାନରେ ସୁନାଖଣିର ସନ୍ଧାନ ମିଳିଛି କି? ଯଦି ମିଳିଛି ତାହେଲେ ତା’ର ସବିଶେଷ ବିବରଣୀ ପ୍ରଦାନ କରିବେ କି?
ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ- ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ସର୍ବେକ୍ଷଣ ସଂସ୍ଥା ମାଧ୍ୟମରେ ଅନୁସନ୍ଧାନ କରାଯାଇ ରାଜ୍ୟର ଦେବଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବା ସୂଚନା ମଳିଛି ।

ବିଧାନସଭାରେ ମନ୍ତ୍ରୀ ରଖିଥିବା ଉତ୍ତର ଅନୁସାରେ- ଦେବଗଡ଼ ଜିଲ୍ଲାର ଅଡ଼ାସ ଅଞ୍ଚଳରେ ତମ୍ବାପଥର ସହିତ ୧୬୮୫ କିଲୋଗ୍ରାମ ସୁନା ଥିବା ସୂଚନା ରହିଛି । ସେହିପରି କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳରେ ସୁନା ପଥରର ସନ୍ଧାନ ମିଳିଛି । ଏଥିରେ ୧ ଟନ ପଥରରେ ୧ ଗ୍ରାମ ସୁନା ଥିବା ଜଣାପଡ଼ିଛି । ସଲେଇକନା ପାଶ୍ୱର୍ରେ ଥିବା ନାଳ ଅବାବହିକା ଓ ଶର୍ଯ୍ୟା ଅଞ୍ଚଳରେ ୧ ଟନ ମାଟିରୁ ୧ ଗ୍ରାମ ସୁନା ଥିବା ସୂଚନା ମିଳିଛି । ସେହିପରି ମୟୁରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଅଞ୍ଚଳରେ ଥିବା ସୁନାବାହୀ ପଥରରେ ମଧ୍ୟରେ ସୁନାର ଥିବାର ଆକଳନ କରାଯାଇଛି । ଏଠି ୧ଟନ ପଥରରେ ୦.୧ରୁ ୨.୬ ଗ୍ରାମ ସୁନା ଥିବା ଆକଳନ କରାଯାଇଛି । ସୁଲେଇପାଟ ଅଞ୍ଚଳରେ ବି ସୁନା ପଥର ଥିବା ଆକଳନ କରାଯାଇଛି ।

ସୁନାର ସନ୍ଧାନ ଯଦିଓ ଓଡ଼ିଶାବାସୀଙ୍କୁ ଉତ୍ସାହିତ କରୁଛି ତଥାପି ମିଳିଥିବା ସୁନାର ପରିମାଣ ଏବଂ ତାକୁ ଉତୋଳନ କରିବା ପାଇଁ ଆବଶ୍ୟକ ହେଉଥିବା ସମ୍ବଳ ଦେଖିଲେ ହୁଏତ କହିହେବ, ଆୟ ତୁଳନାରେ ବ୍ୟୟ ଅଧିକ ପଡ଼ିବ ।