ସବୁଠୁ ଆଗରେ ୫୦୦ ଟଙ୍କିଆ,ଦ୍ୱିତୀୟରେ ୧୦ ଟଙ୍କିଆ । ହେଲେ କୁଆଡେ ଗଲା ୨୦୦୦ଟଙ୍କିଆ ନୋଟ୍?

106

କନକ ବ୍ୟୁରୋ: ୨୦୧୬ ନଭେମ୍ବର ୮ ତାରିଖରେ ମୋଦୀ ସରକାର ଦେଶରେ ନୋଟବନ୍ଦୀ ପ୍ରଚଳନ କରିବା ପରେ ଏଟିମରୁ ଖାଲି ୨୦୦୦ ଟଙ୍କିଆ ନୋଟ୍ ବାହାରୁଥିଲା । ହେଲେ ଏବେ ଏହାକୁ ଦେଖିବାକୁ ମିଳୁନି । ଏହା ପଛର କାରଣ କ’ଣ ?

୨୦୧୬ର ନଭେମ୍ବର ୮ ତାରିଖର ରାତିକୁ କେହି ଭୁଲିବେନି । ଯେତେବେଳେ କେନ୍ଦ୍ର ସରକାର ଡିମୋନାଇଜେସନ୍ ନୀତି ଘୋଷଣା କଲେ । ରାତି ୧୨ଟା ପରଠାରୁ ଦେଶରେ ୧୦୦୦ ଓ ୫୦୦ ଟଙ୍କିଆ ନୋଟର ପ୍ରଚଳନକୁ ବନ୍ଦ କରିବାକୁ ଘୋଷଣା କଲେ । ଏହା ବଦଳରେ ଆସିଲା ୨୦୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍ । ସେବେଠୁ ୫୦୦ ଟଙ୍କିଆ ନୋଟ୍ ତ ଧୁମ ଚାଲିଛି ହେଲେ ୨୦୦୦ ଟଙ୍କିଆ ନୋଟ୍ ଏଏଟିଏମ, ଓ ବ୍ୟାଙ୍କରୁ ଗାଏବ ହୋଇଯାଇଛି ।

ତେବେ ୨୦୦୦ ଟଙ୍କିଆ ବଦଳରେ ୫୦୦ ଟଙ୍କାର ଟ୍ରାନଜାକ୍ସନକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଏହା ସରକାରଙ୍କ ଆର୍ଥିକ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କୁହାଯାଇଛି । ଦେଶରେ ଦୁର୍ନୀତିକୁ ରୋକିବା ସହ ଳୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୦୦୦ ଟଙ୍କିଆ ନୋଟ ଛପା ଆରମ୍ଭ ହୋଇଥିଲା । ହେଲେ କାମ ଦେଲାନି ସରକାରଙ୍କ ଏହି ନୀତି । କାରଣ ଦୁର୍ନିତି କମିବା ବଦଳରେ ବରଂ ୨୦୦୦ ଟଙ୍କିଆ ନୋଟ୍ ଯୋଗୁଁ କଳାବଜାରି ଅଧିକରୁ ଅଧିକ ବଢିଚାଲିଲା । ଏହାସହ ବଡ ମୂଲ୍ୟର ଟଙ୍କାକୁ ଜମା କରି ରଖିବା ଦ୍ୱାରା ଆର୍ଥିକ ଅବ୍ୟବସ୍ଥା ଦେଖାଗଲା । ତା’ ସାଙ୍ଗକୁ ଏହି ନୋଟ୍ ଦେଶର ଗରୀବ ଶ୍ରେଣୀ ଏପରିକି ମଧ୍ୟବିତ୍ତ ପରିବାର ପାଇଁ ବଡ ସମସ୍ୟା ସୃଷ୍ଟି କଲା । ଲୋକେ ଖୁଚୁରା ପାଇବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେଲେ । ଫଳରେ କ୍ରମଶଃ ଏହାର ପ୍ରଚଳନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ଭାରତୀୟ ରିଜର୍ଭ ବ୍ୟାଙ୍କ । ତେଣୁ ୨୦୨୦ ପରଠାରୁ ୨୦୦୦ ଟଙ୍କିଆ ନୋଟର ପ୍ରଚଳନକୁ ହଟାଇବାକୁ ବ୍ୟାଙ୍କ ନିର୍ଦ୍ଦେଶ ଦେଲେ ଆରବିଆଇ । ଏହାପରେ ୨୦୨୦ ମାର୍ଚ୍ଚ ଠାରୁ ଦେଶର ପାଖାପାଖି ୨ଲକ୍ଷ ୪୦ ଏଟିଏମରୁ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍ ବାହାରିବା ବନ୍ଦ ହୋଇଗଲା ।

ମୂଲ୍ୟ ଦୃଷ୍ଟିରୁ ଦେଖିଲେ ଦେଶରେ ମୋଟ ମୁଦ୍ରାରେ ୨୦୦୦ ଟଙ୍କିଆ ନୋଟର ମାତ୍ରା ୨୨.୬ ପ୍ରତିଶତ ଥିଲା । ୨୦୨୦ ମାର୍ଚ୍ଚ ସୁଦ୍ଧା ଦେଶରେ ୨୭୪କୋଟିର ୨୦୦୦ ଟଙ୍କିଆ ନୋଟ୍ କାରବାର ହେଉଥିଲା ।ଯାହାକି ମୋଟ ମୁଦ୍ରାର ମାତ୍ର ୨.୪ ପ୍ରତିଶତ । ୨୦୨୨ ମାର୍ଚ୍ଚ ବେଳକୁ ଏହା ୨୧୪ କୋଟି ସଂଖ୍ୟାକୁ ହ୍ରାସ ପାଇଛି । ଯାହା ମୋଟ ମୁଦ୍ରା ପ୍ରଚଳନର ମାତ୍ର ୧.୬ ପ୍ରତିଶତ । ତେବେ ଗତ ୨ ବର୍ଷ ମଧ୍ୟରେ ୨୦୦୦ ଟଙ୍କିଆ ନୋଟକୁ ଛାପି ବନ୍ଦ କରିଦିଆଯାଇଥିବା ଅର୍ଥ ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି । ତେବେ ସରକାର ୨୦୦୦ ଟଙ୍କିଆ ନୋଟ୍ ବନ୍ଦୀ କରିନାହାଁନ୍ତି । ଏହାର ଅର୍ଥ ଏବେବି ୨୦୦୦ ଟଙ୍କିଆ ନୋଟ୍ କାରବାର ହେଉଛି । ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।