ଆସନ୍ତା ଦୁଇ ଦିନ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା । ୨୭ ରାତିରୁ ଲେଉଟିବ ଶୀତ, ୧୧ ଜିଲ୍ଲାରେ ଘନକୁହୁଡ଼ି ସମ୍ଭାବନା ।

1,415

କନକ ବ୍ୟୁରୋ : ଆସନ୍ତା ଦୁଇ ଦିନ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବ । ଉତ୍ତର ପଶ୍ଚିମ ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ‌କୋହଲା ରହିବା ସହ ବର୍ଷା ହୋଇପାରେ । ତେବେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲ୍ଲାଗୁଡ଼ିକରେ ଆଜି ଭଳି ଥଣ୍ଡା ଜାରି ରହିବ । ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆହୁରି କୁହାଯାଇଛି ଯେ ଆସନ୍ତା ୨୬ ତାରିଖ ତଥା ଗୁରୁବାର ପୂର୍ବାହ୍ନ ସୁଦ୍ଧା ସୁନ୍ଦରଗଡ଼, ନୂଆପଡ଼ା, ନବରଙ୍ଗପୁର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହଲୁକା ବର୍ଷା ହୋଇପାରେ । ୨୭ ତାରିଖ ପୂର୍ବାହ୍ନ ସୁଦ୍ଧା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଧା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବ । ରାଜ୍ୟର ବାକି ସ୍ଥାନଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଆକଳନ କରାଯାଇଛି ଯେ ୨୭ ତାରିଖ ପର୍ଯ୍ୟନ୍ତ ଆଜି ଭଳି ଥଣ୍ଡା ଲାଗିରହିବ । ରାତିରେ ପାରଦ ବିଶେଷ ଖସିବ ନାହିଁ । ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ପାଖାପାଖି ରହିବ । ଏହାପରେ କିନ୍ତୁ ତାପମାତ୍ରା ହଠାତ୍‌ ବଡ଼ ଧରଣର ପରିବର୍ତନ ଆସିବ । ନିୟମିତ ଭାବେ ରାତିର ପାରଦ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ । ଦାରିଙ୍ଗବାଡ଼ିରେ ପୁଣିଥରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯିବ । ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ପର୍ଯ୍ୟନ୍ତ ଖସି ଆସିପାରେ । ଫୁଲବଣୀ, ସୁନ୍ଦରଗଡ଼, ଅନୁଗୁଳ, ସୋନପୁର ପ୍ରଭୃତି ସ୍ଥାନରେ ବି ପାରଦ ୧୦ ଡିଗ୍ରି ତଳକୁ ଖସିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପାରଦ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ । ଅନ୍ୟପକ୍ଷରେ ୨ରୁ ୩ ଦିନ ଯାଏ ଉତ୍ତର ଓଡ଼ିଶା ସମେତ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିବ । ବିଶେଷକରି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ଯାଜପୁର, ଖୋର୍ଧା, ପୁରୀ, କଟକ, କନ୍ଧମାଳ ଓ କୋରାପୁଟ ଜିଲ୍ଲାର ‌କେତେକ ସ୍ଥାନରେ କୁହୁଡ଼ି ହେବ । ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତା ଠିକ୍‌ ଭାବେ ଦୃଶ୍ୟମାନ ହେବନି ।

ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରେକର୍ଡ କରାଯାଇଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ହ୍ରାସ ପାଇଛି । ବାଲେଶ୍ବର ଓ କଟକର ତାପମାତ୍ରା ୧୨.୮ ଡିଗ୍ରିକୁ ଖସି ଆସିଥିବା ବେଳେ ଭୁବନେଶ୍ବର ତାପମାତ୍ରା ୧୪.୪ ଡିଗ୍ରି ରହିଥିଲା । ଅନୁଗୁଳରେ ବି ପାରଦ ୧୦ ଡିଗ୍ରିକୁ ଖସିଛି । ପାରାଦୀପ ତାପମାତ୍ରା ୧୫.୭ ଥିବା ବେଳେ ପୁରୀରେ ୧୬.୪, ବାରିପଦାରେ ୧୩.୫ ରହିଥିଲା । ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୩.୩ ଡିଗ୍ରିକୁ ବୃଦ୍ଧି ପାଇଛି ।