ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲା : ପ୍ରୀତିମାନଙ୍କ ଭୂମିକାକୁ ନେଇ ଉଠିଲା ଅନେକ ପ୍ରଶ୍ନ

143

କନକ ବ୍ୟୁରୋ : ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ । ପ୍ରୀତିମାନଙ୍କ ସହ ମାନସ ଟୁଡୁଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ ହେବ । ଆଜି ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ପୋଲିସ ଯୋଜନା କରିଥିବା ଜଣାପଡ଼ିଛି । ଏଥିପାଇଁ ପ୍ରୀତିମାନ ଓ ମାନସଙ୍କୁ ଭୁବନେଶ୍ୱର ଅଣାଯାଇଛି । ସମ୍ବଲପୁର ପୋଲିସର ଏକ ଟିମ୍ ୨ ଜଣଙ୍କୁ ଭୁବନେଶ୍ୱର ଆଣିଛି ।

ସେହିପରି ଅଧିକ ତଦନ୍ତ ପାଇଁ ପୋଲିସର ଆଉ ଦୁଇଟି ଟିମ୍ ବଲାଙ୍ଗିର ଓ ସୋନପୁର ଯିବ ବୋଲି ଜଣାପଡ଼ିଛି । ଏହା ସହ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ପିନ୍ଧିଥିବା ପୋଷାକକୁ ପରୀକ୍ଷା ପାଇଁ ପଠାଇବ ପୋଲିସ । ଏହାରି ଭିତରେ ଚିନ୍ମୟୀଙ୍କ ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ବି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେପଟେ ଚିନ୍ମୟୀଙ୍କ ମୃତ୍ୟୁର ତଦନ୍ତ କରୁଥିବା ଟିମ୍ ଭୁବନେଶ୍ୱର ସ୍ଥିତ ତାଙ୍କ ଭଡ଼ାଘରେ ଛାନଭିନ୍ କରିଛି । ଘରୁ ତଦନ୍ତକାରୀ ଟିମକୁ ଏକ ଲାପଟପ୍ ଓ ପେନଡ୍ରାଇଭ୍ ଜବତ କରିଛି ।

ଏହା ସହ ଏକ ଡାଏରୀ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି । ଡାଏରୀରେ ଥିବା ହସ୍ତାକ୍ଷର ଚିନ୍ମୟୀଙ୍କର ନା ନୁହେଁ, ସେଥିପାଇଁ ବିଶେଷଜ୍ଞଙ୍କ ସହାୟତା ନିଆଯାଇପାରେ । ଏହି ଡାଏରୀରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ସମ୍ଭାବନା ରହିଛି । ଡାଏରୀରୁ ମୃତ୍ୟୁର ରହସ୍ୟ ଫିଟିବା ନେଇ ପୋଲିସ ଆଶା ରଖିଛି ପୋଲିସ । ଏସବୁ ଭିତରେ ଘଟଣାରେ ପ୍ରୀତିମାନଙ୍କ ଭୂମିକାକୁ ନେଇ ଉଠୁଛି ଅନେକ ପ୍ରଶ୍ନ ।

– ଯଦି ପ୍ରୀତିମାନଙ୍କ ଉପସ୍ଥିତିରେ ଚିନ୍ମୟୀ ପାୱାର ଚାନେଲକୁ ଡେଇଁଥିଲେ, ପ୍ରୀତିମାନ ଅଟକାଇବାକୁ ଚେଷ୍ଟା କରିଥିଲେ ନା’ ନାହିଁ ?
– ଯଦି ଚିନ୍ମୟୀ ପାୱାର ଚାନେଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି, ଏହି ଆତ୍ମହତ୍ୟା ପଛରେ ପ୍ରୀତିମାନଙ୍କର କୌଣସି ଭୂମିକା ରହିଛି କି ?
– ପରିବାରଙ୍କ ଅଭିଯୋଗ ଅନୁସାରେ ଚିନ୍ମୟୀଙ୍କ ବେକରେ ଚିହ୍ନ ରହିଛି, ଚିନ୍ମୟୀଙ୍କ ବେକ ଚାପିବାକୁ ପ୍ରୀତିମାନ ଉଦ୍ୟମ କରିଥିଲେ କି ?
– ପାରିବାରିକ କାରଣରୁ ଯଦି ଚିନ୍ମୟୀ ଚାପରେ ଥିଲେ ସେକଥା ତାଙ୍କ ପରିବାର ଜାଣିପାରିଲେନି କେମିତି ?
– ଚିନ୍ମୟୀ ପାରିବାରିକ ଚାପରେ ଥିବା ପ୍ରୀତିମାନ ଜାଣିଲେ କେମିତି ?
– ସମ୍ବଲପୁର ଓ ବୁର୍ଲାରେ ଏକାଧିକ ସ୍ଥାନ ଥିବା ସତ୍ୱେ ପାୱାର ଚାନେଲକୁ ଚିନ୍ମୟୀ ଯାଇଥିଲେ କାହିଁକି ?
– ପାୱାର ଚାନେଲକୁ ଯିବା ପଛରେ ପ୍ରୀତିମାନଙ୍କ କୌଣସି ଭୂମିକା ଥିଲା କି ?