ଫୁଲିଲା ମହାନଦୀ, ୫ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି; ମୁଣ୍ଡଳୀରେ ପ୍ରବାହିତ ହେଉଛି ୯ ଲକ୍ଷ କ୍ୟୁସେକରୁ ଅଧିକ ବନ୍ୟାଜଳ

155

କନକ ବ୍ୟୁରୋ : ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁ ବଢୁଛି ହୀରାକୁଦ ଜଳସ୍ତର । ଜଳଭଣ୍ଡାରରେ ଜଳସ୍ତର ୬୧୪ ଦଶମିକ ୦୬ ରହିଛି । ପ୍ରତି ସେକେଣ୍ଡରେ ପ୍ରାୟ ୪ ଲକ୍ଷ ୩୨ ହଜାର ୮୦୮ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ୬୭ ହଜାର ୬୯୦ କ୍ୟୁସେକ୍ ଜଳ । ୨ ଗେଟ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରୁ ମହାନଦୀକୁ ମାଡି ଆସୁଛି ପାଣି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ଫୁଲୁଛି ମହାନଦୀ । ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ଫଳରେ ତଳିଆ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୋଇଛି । ଏଥିପାଇଁ ୬ଟି ଜିଲ୍ଲାକୁ ସତର୍କ କରାଯାଇଛି ।

ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ତଳିଆ ଅଂଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ବନ୍ୟା ପାଇଁ ଲୋକେ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ପ୍ରଶାସନ ବି ସଜାଗ ରହଛି । ମୁଣ୍ଡଳି ଠାରେ ଜଳ ପ୍ରବାହ ହ୍ରାସ ପାଇଛି । ଗତକାଲି ୯ ଲକ୍ଷ ୧୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ଆଜି ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଖଇରିମାଳ ନିକଟରେ ୩ ଲକ୍ଷ ୯୦ ହଜାର କ୍ୟୁସେକ୍ ଓ ବରମୂଳରେ ୫ ଲକ୍ଷ ୩୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ପାଣି ଆଜି ତଳିଆ ଅଂଚଳରେ ପଶିପାରେ ।

ସ୍ଥିତି ମୁକାବିଲା ପାଇଁ ମହାନଦୀ ତଳମୁଣ୍ଡ ପାଇଁ ୮ ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ନିୟୋଜିତ କରିଛି ଜଳସମ୍ପଦ ବିଭାଗ । ୧୬ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ପାଇଁ ୧୦୬ଟି ଟିମ୍କୁ ନିୟୋଜିତ କରାଯାଇଛି । ଏଥିରେ ଓଡ୍ରାଫ୍ର ୧୩, ଏନ୍ଡିଆରଏଫ୍ର ୮ ଓ ଅଗ୍ନିଶମର ୮୫ ଟିମ୍ ରହିଛି । ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଉପୁଜିବାରୁ ୬ ହଜାର ୮୩୪ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେମାନଙ୍କୁ ଖୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୧୩୬ଟି ସ୍ଥାନରେ ରନ୍ଧା ଖାଦ୍ୟ ପାଇଁ ବ୍ୟବସ୍ଥା ହୋଇଛି ।