ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିବାଦ ଭିତରକୁ ଟାଣିଲେ କୁଚିଣ୍ଡାର ଅତିରିକ୍ତ ତହସିଲଦାର । ଲାଞ୍ଚ ନେଇ ଧରାପଡ଼ିବା ବେଳେ ନବ ଦାସଙ୍କ ନାଁ ନେଲେ ସାରଦା ମହାରଣା । କହିଲେ…

674

କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବିବାଦ ଭିତରକୁ ଟାଣିଛନ୍ତି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଅତିରିକ୍ତ ତହସିଲଦାର । ବେଆଇନ୍ କାମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଆକ୍ରୋଶମୂଳକ ଭାବେ ତାଙ୍କୁ ଫସାଯାଇଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ଜଣେ ଠିକାଦାରଙ୍କଠାରୁ ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ତାଙ୍କ ଅଫିସ, କୁଚିଣ୍ଡା ସ୍ଥିତ ସରକାରୀ ବାସଭବନ ସମେତ ରାଉରକେଲାସ୍ଥିତ ଘରେ ଚଢ଼ଉ କରି ପାଖାପାଖି ୩ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଅତିରିକ୍ତ ତହସିଲଦାର କହିଛନ୍ତି ଯେ, ବିନା ଅନୁମତିରେ ଜଙ୍ଗଲ ଭିତରେ ପୋଖରୀ ଖୋଳାଯାଉଥିଲା । ଏ ପ୍ରସଙ୍ଗରେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏହାକୁ ବନ୍ଦ କରାଯାଇଥିଲା । ପୋଖରୀ ଖୋଳାରେ ବ୍ୟବହୃତ ହାଇୱା ଓ ଜେସିବିକୁ ଜବତ କରାଯିବା ସହ ୫ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିଲା ।

ଏହି ଜୋରିମାନାକୁ କେନ୍ଦ୍ର କରି ତାଙ୍କ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଚାପ ଥିବା ବେଳେ ମନ୍ତ୍ରୀଙ୍କ ଲୋକ ତାଙ୍କୁ ଫସାଇଥିବା ସେ କହିଛନ୍ତି । ବ୍ୟକ୍ତିଗତ ଆକ୍ରୋଶ ରଖି ତାଙ୍କୁ ବଦନାମ କରିବା ପାଇଁ ଏପରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ନିଜକୁ ସୁରକ୍ଷା ଦେବା ପାଇଁ ଅତିରିକ୍ତ ତହସିଲଦାର ମନ୍ତ୍ରୀଙ୍କ ନାଁ ନେଉଛନ୍ତି, ନା ସତରେ ମନ୍ତ୍ରୀ ନବ ଦାସଙ୍କ ଚାପ ରହିଛି, ତାହା ତଦନ୍ତ ସାପେକ୍ଷ ।