ଡିଏମଏଫ୍ ବୈଠକରେ କଥା କଟାକଟି : ମୁହାଁମୁହିଁ ହେଲେ ଢେଙ୍କାନାଳ ଜିଲ୍ଲାପାଳ ଓ ସାଂସଦ

436

କନକ ବ୍ୟୁରୋ : ସାଂସଦ ଓ ଜିଲ୍ଲାପାଳ ମୁହାଁମୁହିଁ । ଢେଙ୍କାନାଳ ଜିଲ୍ଲାପାଳ ଓ ସାଂସଦଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମଏଫକୁ ନେଇ ବସିଥିବା ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ସାଂସଦ ମହେଶ ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଯେଉଁମାନେ ଡିଏମ୍ଏଫ୍ କମିଟିର ସଦସ୍ୟ ନୁହଁନ୍ତି ସେମାନଙ୍କୁ ବୈଠକକୁ ଡାକିବା ଏବଂ ପାଣ୍ଠିର ସୁବିନିଯୋଗ ହେବାକୁ ନେଇ ସାଂସଦ ବିରକ୍ତି ପ୍ରକାଶ କରିଥିଲେ ।

ଯାହାର ଉତ୍ତରରେ ସେ କଣ ରବର ଷ୍ଟାମ୍ପ କି ବୋଲି ପ୍ରଶ୍ନ କରିଥିଲେ ଜିଲ୍ଲାପାଳ । ଏହାର ଉତରରେ ସେ କଣ ନିଜ ମନକୁ ପଚାରନ୍ତୁ ବୋଲି ସାଂସଦ କହିଥିଲେ । ଏହିପରି ସାଂସଦ ଓ ଜିଲ୍ଲାପାଳଙ୍କ ମଧ୍ୟରେ କଥା କଟାକଟି ସହ ମୁହାଁମୁହିଁ ପରିସ୍ଥିତି ଉପଜୁଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ଖଣିଜ ପାଣ୍ଡି ବିନିଯୋଗ ବୈଠକ ବସିଥିଲା । ଏହି କମିଟିରେ ସାଂସଦ ମହେଶ ସାହୁ, ଖଣି ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଓ ପର୍ଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଉପସ୍ଥିତ ଥିଲେ ।

ମାତ୍ର କମିଟିର ସଦସ୍ୟ ନଥିବା ସଦର ବିଧାୟକ ସୁଧୀର ସାମଲ ଓ ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ ମଧ୍ୟ ଉପସ୍ଥିତ ଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଡିଏମ୍ଏଫ୍ ପାଣ୍ଠିରେ ଉନ୍ନୟନମୂଳକ କାମ ଠିକ୍ ଭାବରେ ହେଉନଥିବାରୁ ସାଂସଦ ବିରକ୍ତି ପ୍ରକାଶ କରିଥିଲେ । ବୈଠକରେ କେବଳ ସମୀକ୍ଷା କରାଯାଉଛି ମାତ୍ର ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ ବୋଲି କହିଥିଲେ । ଯାହାକୁ ନେଇ ଜିଲ୍ଲାପାଳ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।