ଉତ୍ତରାଖଣ୍ଡ ନୈନିତାଲରେ କରୋନାର ଭୟଙ୍କର ସ୍ଥିତି, ନବୋଦୟ ବିଦ୍ୟାଳୟରୁ ପଜିଟିଭ ଚିହ୍ନଟ ହେଲେ ୮୨ ଛାତ୍ର

102

କନକ ବ୍ୟୁରୋ : ଦେଶରେ କରୋନାର ତୃତୀୟ ଲହର ଆସିଯାଇଛି । ଏନେଇ ଅଧକାରୀ ସ୍ତରରେ କୌଣସି ଘୋଷଣା ହୋଇ ନଥିଲେ ବି ଦୈନ ଦିନ ବଢୁଥିବା କରୋନା ସଂକ୍ରମଣରୁ ତାହା ସ୍ପଷ୍ଟ ହେବାରେ ଲାଗିଛି । ଏହି କ୍ରମରେ ଏବେ ବିଭିନ୍ନ ରାଜ୍ୟ ସରକାରମାନେ ପୁଣି ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଥିବା ବେଳେ ଉତ୍ତରାଖଣ୍ଡର ନୈନିତାଲ ନବୋଦୟ ବିଦ୍ୟାଳୟରୁ ଆସିଛି ଭୟାନକ ଖବର ।

ଜିଲ୍ଲାରେ ଥିବା ଏକ ନବୋଦୟ ବିଦ୍ୟାଳୟରେ ୮୨ ଜଣ ଛାତ୍ର ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାସହ ଅନେକ ପିଲାଙ୍କର ଟେଷ୍ଟ ରିପୋର୍ଟ ଆସିବାକୁ ବାକି ରହିଛି । କହିରଖୁ କି ସ୍କୁଲରେ ଥିବା ୪୮୮ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଏଥିରୁ ସ୍କୁଲର ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀଙ୍କ ସହ ୮୨ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨୫ କୁ ବୃଦ୍ଧି ପାଇଛି ଓ ଦେଶରେ ଗତ ୨୪ ଘଂଟା ମଧ୍ୟରେ ମୋଟ ୨୭,୫୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ୨୮୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୯୨୪୯ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୧,୨୨,୮୦୧ ଆକ୍ଟିଭ ମାମଲା ରହିଛି ।