ସଂଧ୍ୟା ହେଲେ ଭିଡ଼ ଚିନ୍ତା : ଟୁଇନ ସିଟିକୁ ଭାରିଯାନ ପ୍ରବେଶ ଉପରେ ଲାଗିଲା କଟକଣା

327

କନକ ବ୍ୟୁରୋ : ସଂଧ୍ୟାରେ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଯାଇ କମିଶନରେଟ ପୁଲିସର ନୂଆ ନିୟମ । ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ସାଢ଼େ ୭ଟା ଯାଏଁ କଟକ ଓ ଭୁବନେଶ୍ୱର ସହର ଭିତରକୁ ପ୍ରବେଶ କରିପାରିବ ନାହିଁ ମାଲବାହୀ ଟ୍ରକ ତଥା ଭାରିଯାନ । ସଂଧ୍ୟା ହେଲେ କଟକ ଓ ଭୁବନେଶ୍ୱରରେ ପ୍ରବଳ ଭିଡ ହେଉଛି । ଯାହାକୁ ନେଇ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଅଣାୟତ ହୋଇପଡୁଛି । ଏବେ ଏହାକୁ ନଜରରେ ରଖି କମିଶନରେଟ ପୁଲିସ ଏପରି ଏକ ନିଷ୍ପତ୍ତି ନେଇଛି ।

ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ଛଅ ଚକିଆ ଟ୍ରକ ଏବଂ ଏହାଠୁ ବଡ ଯାନ ପିତାପଲୀ ଛକ ପଟୁ ଭୁବନେଶ୍ୱର ଆଡକୁ ଏବଂ ମଙ୍ଗୁଳି ଛକ ପଟୁ କଟକ ସହର ମଧ୍ୟକୁ ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ସାଢ଼େ ୭ଟା ମଧ୍ୟରେ ପ୍ରବେଶ କରିପାରିବ ନାହିଁ । ତେବେ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ମାଲବାହୀ ଗାଡ଼ିଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । କିନ୍ତୁ ସେହି ଗାଡ଼ିଗୁଡ଼ିକୁ କମିଶନରେଟ ପୁଲିସ କାର୍ଯ୍ୟାଳୟରୁ ଆବଶ୍ୟକ ପ୍ରମାଣପତ୍ର ନେବାକୁ ପଡ଼ିବ ବୋଲି କୁହାଯାଇଛି ।