ଆସନ୍ତାକାଲି ବିଜୁ ଜୟନ୍ତୀ : ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେବେ ବିଜେଡି କର୍ମୀ

172

କନକ ବ୍ୟୁରୋ : ଆସନ୍ତାକାଲି ବିଜୁ ଜୟନ୍ତୀରେ ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେବେ ବିଜେଡି କର୍ମୀ । ସରକାରୀ ଦଳ ମୁଖ୍ୟ ସଚେତକ କହିଲେ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନରେ ହେବ ସହାୟକ । ସକାଳ ୬ ଘଟିକା ସମୟରେ ପ୍ରଭାତ ଫେରୀ ଏବଂ ବିଜୁ ବାବୁଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ସହିତ ଏହି ଦିବସ ପାଳନର ଶୁଭାରମ୍ଭ କରାଯାଇ ଡାକ୍ତରଖାନା, ଅନାଥାଶ୍ରମ, ବୃଦ୍ଧାଶ୍ରମ ଏବଂ ବାଳାଶ୍ରମରେ ଫଳ ବଣ୍ଟନ ଏବଂ ଅନ୍ୟାନ୍ୟ ସମାଜସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସକାଳ ୮ଟା ୩୦ ମିନିଟ୍ ସମୟରେ ବିଜୁ ଯୁବ ଜନତା ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ଅନ୍ୟୁନ ୨ ଶବ୍ଦ କର୍ମୀଙ୍କୁ ନେଇ ୫ କିମି ପରିବ୍ୟାପ୍ତ ସାଇକେଲ ରାଲି ଅନୁଷ୍ଠିତ ହେବ ।

ଅପରାହ୍ନ ୪ ଘଟିକା ପରଠାରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଦଳର ନିର୍ବାଚିତ ସଦସ୍ୟ ଏବଂ ସଦସ୍ୟା, ଦଳୀୟ କର୍ମକର୍ତ୍ତା, କର୍ମୀ, ସକ୍ରିୟ ସଦସ୍ୟ, ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟ ତଥା ପୌରପାଳିକା ଏବଂ ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ସାଧାରଣ ସଭା ଆୟୋଜନ କରାଯିବ । ଉପସ୍ଥିତ ପ୍ରତ୍ୟେକ ସଦସ୍ୟ ଲୋକସେବାକୁ ଏକ ମହନୀୟ ବ୍ରତ ଭାବରେ ଗ୍ରହଣ କରିବେ ଏବଂ ସମୃଦ୍ଧ, ସଶକ୍ତ ଓ ସ୍ଵାଭିମାନୀ ‘ ନବୀନ ଓଡ଼ିଶା’ ଗଢ଼ିବା ପାଇଁ ଶପଥ ନେବେ ।

ଏହି ସାଧାରଣ ସଭାରେ ବିଜୁ ବାବୁଙ୍କ ସହକର୍ମୀ, ସହଯୋଗୀ ତଥା ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବାରେ ନିଜକୁ ଉତ୍ସର୍ଗ କରିଥିବା ବର୍ଷୀୟାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ୫ ମାର୍ଚ୍ଚରୁ ୨୫ ମାର୍ଚ୍ଚ ମଧ୍ୟରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ସମୃଦ୍ଧ, ସଶକ୍ତ ଓ ସ୍ଵାଭିମାନୀ ‘ନବୀନ ଓଡ଼ିଶା’ ଗଠନ ଉପରେ ପ୍ରବନ୍ଧ, ତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ବିଜୁ ଜନତା ଦଳର କର୍ମୀ ଏବଂ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଆୟୋଜନ କରାଯିବ । ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ ଏହି ପ୍ରତିଯୋଗିତା ଆୟୋଜନ କରିବେ ଏବଂ ୧୭ ଏପ୍ରିଲରେ ବିଜୟୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।

ମାର୍ଚ୍ଚ ୮ ତାରିଖରେ ‘ ଆନ୍ତର୍ଜାତୀୟ ମହିଳା ଦିବସ” ରାଜ୍ୟ ସ୍ତରରେ ପାଳିତ ହେବ । ମାର୍ଚ୍ଚ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମହିଳା ସମାବେଶ ଆୟୋଜନ କରାଯାଇ ଆମ ରାଜ୍ୟର ମହିଳାଙ୍କ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ସଶକ୍ତିକରଣ ଦିଗରେ ବିଜୁ ବାବୁଙ୍କ ଅମୂଲ୍ୟ ଅବଦାନ ତଥା ବିଜୁ ଜନତା ଦଳ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବା ସହିତ କିଭଳି ଆମକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନୁକରଣୀୟ କରିପାରିଛି ସେ ସଂପର୍କରେ ସବିଶେଷ ଆଲୋଚନା କରାଯିବ ।