ବିଜେପି ସମର୍ଥକଙ୍କୁ ତୃଣମୂଳ କଂଗ୍ରେସ ବିଧାୟକଙ୍କ ଧମକ, ଯଦି ଭୋଟ ଦେବାକୁ ଯିବ ତେବେ …..

130

କନକ ବ୍ୟୁରୋ : ରାଜନୀତିରେ ହିଂସାର ସ୍ଥାନ ନାହିଁ, ଏହା ବୋଧହୁଏ ସବୁ ନିର୍ବାଚନ ପୂର୍ବରୁ ଓ କିଛି ବିଶେଷ ଘଟଣା କ୍ରମରେ ନେତାମାନେ କହିଥାନ୍ତି । ହେଲେ ଏବେର ରାଜନୀତି ଯେ ହିଂସା ପାହାଡ ଉପରେ ଠିଆ ହୋଇଛି ତାହା ସାଧାରଣ ଜନତାଙ୍କୁ ଆଉ ଅଛପା ନାହିଁ । ବିଶେଷ କରି ଏବେ ପଶ୍ଚିମବଙ୍ଗ ରାଜନୀତିରେ ସବୁଠାରୁ ଅଧିକ ହିଂସା ଦେଖିବାକୁ ମିଳୁଛି । ଏହି କ୍ରମରେ ଏବେ ମମତା ବାନାର୍ଜୀଙ୍କ ଦଳର ଜଣେ ବିଧାୟକ ସଭା ମଞ୍ଚରୁ ଯେଭଳି ବିଜେପି ସମର୍ଥକଙ୍କୁ ଧମକ ଦେଇଛନ୍ତି ତାହା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ବିପଦ ବୋଲି ମନେ ହେଉଛି । ଟିଏମସି ବିଧାୟକ ନରେନ୍ଦ୍ର ନାଥ ଚକ୍ରବର୍ତ୍ତୀ ବିଜେପି ସମର୍ଥକଙ୍କୁ ଧମକ ଦେଇ କହିଛନ୍ତି କି, ଭୋଟ ଦେବାକୁ ଘରୁ ବାହାରିଲେ ଯାହା ଅସୁବିଧା ହେବ ସେଥିପାଇଁ କେହି ଦାୟୀ ରହିବେ ନାହିଁ ।

କେବଳ ସେତିକି ନୁହେଁ ଟିଏମସି ବିଧାୟକ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀ ପାଣ୍ଡବେଶ୍ୱର ଠାରେ ଏକ ଦଳୀୟ ସଭାରେ ଦଳର ସମର୍ଥକମାନଙ୍କୁ ବିଜେପି କର୍ମୀଙ୍କୁ ଧମକ ଦେବାକୁ ବି ପରାମର୍ଶ ଦେଇଛନ୍ତି । ନରେନ୍ଦ୍ର ଦଳୀୟ କର୍ମୀମାନଙ୍କୁ କହିଛନ୍ତି କି ବିଜେପି ସମର୍ଥକମାନଙ୍କୁ ଭୋଟ ଦିନ ଯେଭଳି ଘରୁ ନବାହାରନ୍ତି ସେ ନେଇ ଧମକ ଦିଅ । ଏହାସହ ଯଦି ଜଣାପଡେ କି ସେମାନେ ବିଜେପିକୁ ଭୋଟ ଦେଇଛନ୍ତି ତେବେ ଭୋଟ ଗଣତି ପରେ ପରିଣତି ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଧମକ ଦେବାକୁ ସେ ଟିଏମସି କର୍ମୀମାନଙ୍କୁ ଉପଦେଶ ଦେଇଛନ୍ତି ।

ସପେଟ ଟିଏମସି ବିଧାୟକଙ୍କ ଏଭଳି ଧମକକୁ କଙ୍ଗାଭାଷାରେ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ସେ କହିଛନ୍ତି କି ଏହା ବିଧାୟକଙ୍କ ଭାଷା ନୁହେଁ ବରଂ ପୁରା ଟିଏମସିର ଭାଷା । ଏହି ଭିଡିଓ ଦେଖିବା ପରେ ନିର୍ବାଚନ କମିଶନ ତୁରନ୍ତ ପଦକ୍ଷେପ ନେବା ଉଚିତ ।