ରାଷ୍ଟ୍ରପତିଙ୍କ ସମ୍ବନ୍ଧରେ ଆପତିଜନକ ଟିପ୍ପଣୀ : ବିବାଦ ବଢିବା ପରେ ସଫେଇ ରଖିଲେ ମନ୍ତ୍ରୀ, କହିଲେ…

279

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କ ସମ୍ବନ୍ଧରେ ଆପତିଜନକ ଟିପ୍ପଣୀ । ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ମମତା ବାନାର୍ଜୀ ସରକାରରେ ଥିବା କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି ଏଭଳି କିଛି ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ରାଷ୍ଟ୍ରପତିଙ୍କ ଚେହେରା ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି । କଟାକ୍ଷ କରି କହିଛନ୍ତି, ରାଷ୍ଟ୍ରପତିଙ୍କ ଚେୟାରକୁ ସମ୍ମାନ କରୁଛୁ, କିନ୍ତୁ ରାଷ୍ଟ୍ରପତି ଦେଖିବାକୁ କେମିତିକା ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଟିଏମସି ଏବଂ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ବିଜେପି । ମନ୍ତ୍ରୀ ଅଖିଲ ଗିରିଙ୍କ ଏହି ଭାଇରାଲ ଭିଡିଓ ନନ୍ଦିଗ୍ରାମରେ ଜନତାଙ୍କୁ ସମ୍ବୋଧିତ କରୁଥିବାବେଳର ବୋଲି କୁହାଯାଉଛି । ପଶ୍ଚିମବଙ୍ଗ ବିଜେପି, ମମତା ବାନାର୍ଜୀ ଏବଂ ଟିଏମସିକୁ ଆଦିବାସୀ ବିରୋଧୀ ବୋଲି କହିିଛି । ବିଜେପିର ଅମିତ ମାଲବ୍ୟ ମଧ୍ୟ ଟ୍ୱିଟ୍ କରି ମମତା ବାନାର୍ଜୀଙ୍କୁ ଘେରିଛନ୍ତି । ସେ ଲେଖିଛନ୍ତି ଯେ ମମତା ବାନାର୍ଜୀ ସର୍ବଦା ଆଦିବାସୀ ବିରୋଧୀ ଏବଂ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁନାହାନ୍ତି ।

ମମତାଙ୍କ ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ତାଙ୍କ ବିରୋଧରେୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପଶ୍ଚିମବଙ୍ଗ ବିଜେପି ନେତା । ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜାତୀୟ ମହିଳା କମିଶନ, ପ୍ରଧାନମନ୍ତ୍ରୀ ଓ ପଶ୍ଚମବଙ୍ଗ ବିଧାନସଭା ବାଚସ୍ପତିଙ୍କୁ ଅନୁରୋଧ କରିଛି ଦଳ ।

ରାଷ୍ଟ୍ରପତିଙ୍କୁ ମମତାଙ୍କ ମନ୍ତ୍ରୀଙ୍କ ତାତ୍ସଲ୍ୟ ପ୍ରସଙ୍ଗରେ କଡା ପ୍ରତିକ୍ରିୟା ରଖିଛନ୍ତି ବିଜେଡି, କଂଗ୍ରେସ । ବିଜେଡି କହିଛି, କୌଣସି ମନ୍ତ୍ରୀ ଏଭଳି ବୟାନ ଦେବା ଉଚିତ ନୁହେଁ । ସଂପୃକ୍ତ ମନ୍ତ୍ରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । କଂଗ୍ରେସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଅଖିଳ ଗିରିଙ୍କ ବୟାନକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପରେ ସଫେଇ ରଖିଛନ୍ତି ବିବାଦୀୟ ମନ୍ତ୍ରୀ । ବିବାଦ ବଢୁଥିବା ଦେଖି ସଫେଇ ରଖି କହିଛନ୍ତି, ସେ ରାଷ୍ଟ୍ରପତିଙ୍କୁ ସମ୍ମାନ ଦିଅନ୍ତି । ତେଣୁ ତାଙ୍କ ବୟାନ ଯଦି ରାଷ୍ଟ୍ରପତିଙ୍କୁ ଆଘାତ ଦେଇଥାଏ ତେବେ ସେ ଅନୁତପ୍ତ ।