ନୂଆପଡା ଆମାନାରା ସେକ୍ସନରେ ବାଘ ଆତଙ୍କ : ତରିଆମହୁଆଭଟାରେ ବାଛୁରୀ ମାରିଲା କଲରାପତରିଆ

102

କନକ ବ୍ୟୁରୋ : ନୂଆପଡା ଜିଲ୍ଲାରେ ପୁଣି ବାଘ ଆତଙ୍କ । ଗତ ରାତିରେ ନୂଆପଡା ସଦର ରେଞ ଆମାନାରା ସେକସନର ତରିଆମହୁଆଭଟା ଗାଁରେ ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଛି ବାଘ । ଆଜି ସକାଳେ ଗାଁର ଭାଗିରଥି ରାଉତଙ୍କ ବାଛୁରୀ ଗୁହାଳରେ ମରି ପଡି ଥିବା ଦେଖିବାକୁ ମିଳିଥିଲା ।

ବାଘ ଆକ୍ରମଣ କରି ମାରି ଖାଇ ଦେଇ ଥିବା ଜଣାପଡିଛି । ଗତ ମାର୍ଚ୍ଚ ୧୫ ତାରିଖ ଦିନ ଏହି ବାଛୁରୀକୁ ବାଘ ଆକ୍ରମଣ କରି ଗୁରୁତର କରି ଦେଇଥିଲା । ଗାଁ ଭିତରକୁ ଆସି ବାଘ ବାଛୁରୀକୁ ମାରି ଖାଇଲା ପରେ ଲୋକେ ଭୟଭୀତ ହୋଇ ପଡିଛନ୍ତି । ସୂଚନା ପାଇବା ପରେ ବନ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରୁଛି । ଏହା କଳରାପତରିଆ ବାଘ ବୋଲି ଜଣାପଡିଛି ।

ପ୍ରାୟ ମାସେ କାଳ ହେବ ନୂଆପଡ଼ାରେ ବାଘ ଆତଙ୍କ ଜାରି ରହିଛି । ଗତ ୧୬ ତାରିଖରେ ଧରମବନ୍ଧା ସେକ୍ସନ ସିଲିଆରିବାହାର ଗାଁର ଏକ ଗାଈ ଜଙ୍ଗଲକୁ ଚରିବାକୁ ଯାଇଥିଲା । ସେଠାରେ ପୂର୍ବରୁ ଖାଦ୍ୟ ଅନ୍ବେଷଣରେ ୨ଟି ବାଘ ଜଗି ରହିଥିବା ବେଳେ ଗାଈକୁ ଶିକାର କରିଥିଲେ । ଗୋଟିଏ ବାଘ ଜଙ୍ଗଲକୁ ଚାଲି ଯାଇଥିବା ବେଳେ ଅନ୍ୟଟି ଗାଈକୁ ଖାଇବା ପରେ ଆଉ ସେଠାରୁ ଯାଇପାରି ନଥିଲା । ପରେ ବାଘଟି ଅସୁସ୍ଥ ହେବାସହ ଛଟପଟ ହୋଇଥିଲା ।