ଖଲ୍ଲିକୋଟ ହିଂସାକାଣ୍ଡକୁ ନେଇ ଉତ୍ତେଜନା ଜାରି । ଘଟଣାସ୍ଥଳରେ ପୋଲିସର ଲାଠିଚାର୍ଜ । ଥାନା ୧୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି ।

244

କନକବ୍ୟୁରୋ :ଖଲିକୋଟ ହିଂସାକାଣ୍ଡକୁ ନେଇ ବଢୁଛି ଉତେଜନା । ଗତକାଲି ଘଟଣାରେ ଗିରଫ ୮ ଅଭିଯୁକ୍ତଙ୍କୁ ନେଇ ପୋଲିସ ଥାନାରୁ ଯାଉଥିବାବେଳେ,ଉତ୍ୟକ୍ତ ଲୋକେ ପୋଲିସ ଗାଡିକୁ ଘେରିବା ସହ ଢେଲା ପଥର ଏବଂ ବୋତଲ ମାଡ କରିଛନ୍ତି । ଏଥିରେ ପୋଲିସ ଭ୍ୟାନ କାଚ ଭାଙ୍ଗି ଯାଇଛି । ଜବାବରେ ପୋଲିସ ମଧ୍ୟ ପାଲଟା ଲାଠିଚାର୍ଜ କରିଛି । ଯାହାକୁ ନେଇ ଉତେଜନା ମୂଳକ ସ୍ଥିତି ଦେଖିବାକୁ ମିଳିଛି । ଉତେଜନାକୁ ଦୃଷ୍ଟିରେ ରଖି ଖଲ୍ଲିକୋଟ ଥାନାର ଶହେ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

ସୁଚନା ଅନୁଯାୟୀ ଖଲ୍ଲିକୋଟ ହିଂସା ଘଟଣାକୁ ନେଇ ଲାଗିରହିଛି ଉତେଜନା । ଘଟଣାରେ ପୋଲିସ ୮ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଛି । ସେପଟେ ଖଲ୍ଲିକୋଟରେ ପ୍ରାକ ନିର୍ବାଚନ ହିଂସାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଗଞ୍ଜାମରେ ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସିଇଓ । ଗତକାଲି ରାତିରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହଣାହଣି ହେବାରୁ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ ଜଣ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।