ମୋବାଇଲ ଚୋରି କଲା ବୋଲି…ଚଳାନ୍ତା ଟ୍ରକରେ ଯୁବକଙ୍କୁ ଝୁଲାଇଲେ, ବେକରେ ଜୋତାମାଳ ପକାଇଲେ; ମାର୍ଶାଘାଇ ଭୁତମୁଣ୍ଡାଇ ପୋଲରୁ ଆସିଲା ଦୃଶ୍ୟ

393

କନକ ବ୍ୟୁରୋ : ଯୁବକଙ୍କ ବେକରେ ପଡିଛି ଜେତାମାଳ । ଦୁଇ ହାତ ଉପରକୁ ଉଠାଇ ବନ୍ଧା ଯାଇଛି । ଏଭଳି ଅବସ୍ଥାରେ ଏକ ଟ୍ରକର ଇଞ୍ଜିନ ସମ୍ମୁଖରେ ଯୁବକ ଝୁଲି ରହିଛନ୍ତି । ଏହା ପୁଣି ଟ୍ରକଟି ଚାଲୁଥିବା ଅବସ୍ଥାରେ । ଏଭଳି ଏକ ଭିଡିଓ ମାର୍ଶାଘାଇ ଥାନା ଅଂଚଳରେ ଭାଇରାଲ ହେବାରେ ଲାଗିଛି ।

ତେବେ ପୁଲିସ ଏ ନେଇ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । ଯୁବକ ଜଣକ କେବଳ ଟ୍ରକ ସମ୍ମଖରେ ଝୁଲି ରହିଛନ୍ତି ତାହା ନୁହେଁ, ବରଂ ଭିଡିଓ ସୁଟିଂ କରୁଥିବା ବ୍ୟକ୍ତି ଜଣକ କିଛି କହୁଥିବାର ଶୁଣାଯାଉଛି । ଏଥିରେ ଭିଡିଓ ସୁଟ କରୁଥିବା ବ୍ୟକ୍ତିଜଣକ ମାର୍ଶାଘାଇ ଥାନା ଭୁତମୁଣ୍ଡାଇ ପୋଲର ଏହି ଦୃଶ୍ୟ ବୋଲି ସଂପୃକ୍ତ ବ୍ୟକ୍ତି ଜଣକ କହୁଛନ୍ତି । ଭାଇରାଲ ହେଉଥିବା ଭିଡିଓ ଦୁଇ-ତିନି ଦିନ ତଳର ବୋଲି ଜଣାପଡିଛି । ଭୁତମୁଣ୍ଡାଇ ସ୍ଥିତ ମହାନଦୀ ପୋଲ ଉପରେ ଏହାର ସୁଟିଂ କରାଯାଇଛି ।

ଖବର ଅନୁସାରେ, କେନ୍ଦ୍ରପଡା ଟିକରପଙ୍ଗା ଅଂଚଳର ଜଣେ ବ୍ୟକ୍ତି ଏକ ଟ୍ରକରୁ ମୋବାଇଲ ଫୋନ ଚୋରି କରି ଦୌଡି ପଳାଇଥିଲେ । କିନ୍ତୁ କେତେକ ଟ୍ରକ ଡ୍ରାଇଭର ତାକୁ କାବୁ କରି ଥିେ । ଏହାପରେ ଦଣ୍ଡସ୍ୱରୂପ ତାଙ୍କୁ ଟ୍ରକ ଆଗରେ ବାନ୍ଧି ଝୁଲାଇ ଦିଆଯାଇଥିଲା । ଝୁଲାଇବା ପରେ ବ୍ୟକ୍ତି ଜଣକ ଶୂନ୍ୟରେ ଝୁଲି ରହିଥିଲେ । ଏହା ପରେ ଟ୍ରକକୁ ଚଲାଇ ନିଆଯାଇ ଭିଡିଓ ସୁଟିଂ କରାଯାଇଥିଲା ।

ତେବେ ପ୍ରଶ୍ନ ଉଠୁଛି, ବ୍ୟକ୍ତିଙ୍କୁ ପୁଲିସ ହାତରେ ଜିମା ନ ଦେଇ ଏଭଳି ଜୀବନକୁ ବିପଦରେ ପକାଇବା ପାଇଁ ଡ୍ରାଇଭରଙ୍କୁ ଅଧିକାର ଦେଲା କିଏ । ଏହାଦ୍ୱାରା ମାନବ ଅଧିକାରର ଉଲ୍ଲଙ୍ଘନ ହେଉନାହିଁ କି । ଆଇନକୁ ହାତକୁ ନେଇଥିବା ବ୍ୟକ୍ତିଙ୍କ ପୁଲିସ ଠାବ କରିବା ଜରୁରୀ ନୁହେଁ କି ବୋଲି ପ୍ରଶ୍ନ ଉଠିଛି ।