ନୂଆ ସରକାରଙ୍କ ପାଖରେ ଅସହାୟଙ୍କ ଗୁହାରୀ: କୁନି ଝିଅ ମାଗୁଛି ବାପାଙ୍କ ଜୀବନ ଭିକ୍ଷା, ସେପଟେ ମା’ କହୁଛି ମୋ ପୁଅଙ୍କୁ ଫେରାଇ ଆଣ

38

କନକ ବ୍ୟୁରୋ: ନୂଆ ସରକାର ଦେଇଛି ଲୋକଙ୍କ ମନରେ ନୂଆ ଆଶା । ମୁଖ୍ୟମନ୍ତ୍ରୀ ଗୁହାରୀ ଶୁଣୁଛନ୍ତି ବୋଲି ଜାଣିବା ପରେ କାହିଁ କେତେ ଦୂରରୁ ଆଜି ଲୋକେ ଆସିଥିଲେ ସମସ୍ୟା ଜଣାଇବା ପାଇଁ । କିଏ ନିଜ ସ୍ୱାସ୍ଥ୍ୟସେବା ଜଣାଇବା ପାଇଁ ଆଶିଥିଲେ ତ ଆଉ କିଏ ନ୍ୟାୟ ପାଇଁ କିଭଳି ନିରାଶ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଛନ୍ତି । ନୟାଗଡ, ଯାଜପୁର, କାମାକ୍ଷାନଗରରୁ ଏହିପରି କିଛି ବ୍ୟକ୍ତି ବଡ ଆଶା ନେଇ ଆସି ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦୁଃଖ ଜଣାଇଛନ୍ତି ।

କୁନି ଝିଅର ଦୁଃଖ ଶୁଣିବେ ମୁଖ୍ୟମନ୍ତ୍ରୀ । ୪ ବର୍ଷ ହେଲା ଅସୁସ୍ଥ ଅଛନ୍ତି ବାପା । ଗୋଟିଏ ଅପରସେନ୍ ସରିଛି, ଆଉ ଗୋଟିଏ ଅପରେସନ୍ ହେଲେ ସୁସ୍ଥ ହୋଇଯିବେ ବୋଲି କହୁଛନ୍ତି ଡାକ୍ତର । ଏଥିପାଇଁ ୭ ଲକ୍ଷ ଟଙ୍କା ଆବଶ୍ୟକ । ବିଏସକେୱାଇ କାର୍ଡରେ ଥିବା ଟଙ୍କା ସରିଯାଇଛି । ପାଖରେ ଆଉ ଟଙ୍କାଟିଏ ନାହିଁ । ତେଣୁ କାନ୍ଦି କାନ୍ଦି ବାପାଙ୍କ ପାଇଁ ସହାଯ୍ୟ ମାଗୁଛି କୁନି ଝିଅ । ମାଆ ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସିଛି । ନୟାଗଡ ଜିଲ୍ଲା ବାହାଡଝଲା ଅଂଚଳର ଏହି କୁନି ଝିଅ ଓ ତାଙ୍କ ମାଆଙ୍କ ଦୁଃଖ ସରକାର ବୁଝିବେ ବୋଲି ସେ ଆଶା ରଖିଛନ୍ତି ।

ଜାହାରା ବେଗମ୍ । ଘର ଜଗତସିଂହପୁର ରଘୁନାଥପୁର ଥାନା ଅଂଚଳରେ । ଦେଢଶ୍ୱଶୁରଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ମହିଳା ଜଣଙ୍କ ନ୍ୟାୟ ଆଶାରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଧାଇଁ ଆସିଛନ୍ତି । ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଅଭିଯୋଗ ଶୁଣି ସମାଧାନ କରିବେ ବୋଲି ଆଶା ରଖିଛନ୍ତି । ଯାହାରଙ୍କ କହିବା ଅନୁସାରେ, ତାଙ୍କ ଦେଢ ଶ୍ୱଶୁର ଅବଦୁଲ କଇଁମ ଖାଁ, ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଏମିତି କି ମାଡ ମଧ୍ୟ ମାରୁଛନ୍ତି । ଏନେଇ ଜଗତସିଂହପୁର ରଘୁନାଥପୁର ଥାନାରେ ମାମଲା ରୁଜୁ ହୋଇଛି । ସେହି ମାମଲା ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛନ୍ତି । ଏବଂ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଜାହାରା ବେଗମ୍ ।

ପୁଅ ନିଖୋଜକୁ ବର୍ଷେ ବିତିଲାଣି । ଏଯାଏଁ କିଛି ଖୋଜ ଖବର ନାହିଁ । ହିମାଚଳପ୍ରଦେଶରୁ ଦିଲ୍ଲୀ ଆସୁଥିବା ବେଳେ ୨୦୨୩ ମସିହା ମେ ୨୮ ତାରିଖରୁ କୁଆଡେ ନିଖୋଜ ହୋଇଯାଇଛନ୍ତି ଯାଜପୁର ଜିଲ୍ଲା ବରୀ ଅଂଚଳର ସତ୍ୟାନନ୍ଦ ଭାରତୀ । ଏନେଇ ସତ୍ୟାନନ୍ଦଙ୍କ ମାଆ ବରିର ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ହେଲେ କେହି କିଛି ଶୁଣିଲେ ନାହିଁ, କି ପୁଅର କିଛି ଖବର ମିଳିନାହିଁ । ପୁଅକୁ ଫେରି ପାଇବା ଆଶାରେ ଦୁଃଖ ଜଣାଇବା ଉଦେଶ୍ୟରେ ଭୁବନେଶ୍ୱରକୁ ଧାଇଁ ଆସିଛନ୍ତି ମାଆ ସଂଯୁକ୍ତା ଭାରତୀ ।