ଦୋହଲାଇ ଦେଲା କାଳବୈଶାଖୀ । ଟଳିପଡ଼ିଲା ଗଛ, ବନ୍ଦ ହୋଇଗଲା ରାସ୍ତା । ପାଣି ଟାଙ୍କି ଉପରେ ଶ୍ରମିକ ଟଳମଳ !

214

କନକ ବ୍ୟୁରୋ: କିଛି ସମୟର କାଳବୈଶାଖୀ ସହରଠୁ ନେଇ ଗାଁ ପର୍ଯ୍ୟନ୍ତ ଜୀବନଯାତ୍ରାକୁ ପ୍ରଭାବିତ କରିଛି । ପ୍ରବଳ ବେଗରେ ପବନ ବହିବା ସହ ଝଡ, ତୋଫାନ୍ ବାତ୍ୟାର ଭ୍ରମ ସୃଷ୍ଟି କରିଛି । କଟକ, ଭୁବନେଶ୍ୱର, ବାଲେଶ୍ୱର, ଖୋର୍ଦ୍ଧାରେ କାଳବୈଶାଖୀ ତାଣ୍ଡବ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

  • ଦୋହଲାଇ ଦେଲା କାଳବୈଶାଖୀ
  • ପାଣି ଟାଙ୍କି ଉପରେ ଶ୍ରମିକ ଟଳମଳ !
  • ଜୀବନ ବିକଳରେ କାରରୁ ବାହାରିଲେ ଡ୍ରାଇଭର
  • ଟଳିପଡ଼ିଲା ଗଛ, ବନ୍ଦ ହୋଇଗଲା ରାସ୍ତା

କିଛି ସମୟର କାଳବୈଶାଖୀ ସତେ ଯେମିତି ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି । ଆଜି ଯେତେ ଜୋରରେ ବର୍ଷା ହେଉଥିଲା, ସେତେ ଜୋର୍ ପବନ ବି ହେଉଥିଲା । ଆଉ ଠିକ୍ ଏହି ସମୟରେ ଭୁବନେଶ୍ୱର ରସୁଲଗଡ଼ ପାଣିଟାଙ୍କି ଉପରେ କାମ କରୁଥିବା ଶ୍ରମିକଙ୍କୁ ବହୁ କଷ୍ଟରେ ଜୀବନ ରକ୍ଷା କରୁଥିବା ଦେଖିବାକୁ ମିଳିଛି । ପ୍ରବଳ ବେଗରେ ପବନ ହେଉଥିବାରୁ ଜଣେ ଆଉ ଜଣଙ୍କ ହାତ ଧରି ପାଣିଟାଙ୍କି ଉପରେ ଠିଆ ହୋଇଥିଲେ ।

ଅଚାନକ୍ ଠପ୍ ହୋଇଗଲା ସ୍ୱାଭାବିକ୍ ଜୀବନଯାତ୍ରା । ଯିଏ ଯେଉଁଠି ଥିଲେ ଅଟକି ଯାଇଥିଲେ । କାରଣ, ବର୍ଷା-ପବନ ମାଡ଼ରେ ଭାଙ୍ଗି ପଡୁଥିଲା, ଗଛର ଡାଳ । ଏଭଳି ଭୟଭୀତ ହୋଇ ଜଣେ କାର ଚାଳକ, କାରରୁ ବାହାରି ଆସି, ସୁରକ୍ଷିତ ସ୍ଥାନରେ ଅଟକି ରହିଥିଲେ ।ହେଲେ ଏସବୁ ଭିତରେ ବଡ଼ ବଡ଼ ଡାଳ ଭାଙ୍ଗିପଡ଼ିବାରୁ ରାସ୍ତାଘାଟରେ ଯାତାୟାତ ପ୍ରଭାବିତ ହୋଇଥିଲା । ଭୁବନେଶ୍ୱରର ରାଜମହଲ-ଏଜି ରାସ୍ତାରେ ଅନେକ ଗଛ ପଡ଼ିଥିବା ଦେଖିବାକୁ ମିଳିଥିଲା । ରାସ୍ତାରୁ ଗଛ ପଡ଼ି ରହିବା ପରେ ସ୍ଥାନୀୟ ବ୍ୟବସାୟୀ ଓ ଯୁବକମାନେ ଆସି ସଫା କରିଥିଲେ ।

ଭୁବନେଶ୍ୱର ସମେତ କଟକ, କେନ୍ଦ୍ରାପଡା, ବାଲେଶ୍ୱର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ଧୂଳି ଝଡ, ପବନ ବହିବା ସହ ଘଡଘଡି ଦେଖିବାକୁ ମିଳିଛି । କେନ୍ଦ୍ରାପଡାର ରାଜନଗର ଓ ବାଲେଶ୍ୱରର ନୀଳଗିରିରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଥିଲା । ଏଭଳି ସ୍ଥିତି ହୋଇଥିଲା ଯେ, କାଳବୈଶାଖୀ ବାତ୍ୟ।। ଭ୍ରମ ସୃଷ୍ଟି କରୁଥିଲା ।