ରାଜଧାନୀ ଉପକଣ୍ଠରେ ବିସ୍ଥାପିତଙ୍କ ଦୁଃଖ । ରାଜପଥ ସମ୍ପ୍ରସାରଣ ପାଇଁ ଜାଗା ଛାଡି ନିଜେ ହେଉଛନ୍ତି ହନ୍ତସନ୍ତ ।

151

କନକ ବ୍ୟୁରୋ: ଆପଣମାନେ ବିସ୍ଥାପିତଙ୍କ ଦୁଃଖର କାହାଣୀ ଶୁଣିଥିବେ ବା ଦେଖିଥିବେ । କିନ୍ତୁ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ରହୁଥିବା ବିସ୍ଥାପିତଙ୍କ ଦୁଃଖ କାହାଣୀ ହୁଏତ ଜାଣିନଥିବେ । ହେଲେ, ଆଜି ଆମେ ଆପଣଙ୍କୁ ସେହି ବିସ୍ଥାପିତଙ୍କ ଯନ୍ତ୍ରଣା ଦେଖାଇବୁ, ଯେଉଁମାନେ ରାଜପଥ ସମ୍ପ୍ରସାରଣ ପାଇଁ ବର୍ଷ ବର୍ଷ ଧରି ରହି ଆସୁଥିବା ଜାଗାକୁ ଛାଡି ଦେଇଥିଲେ । ଆଉ ଜାଗା ଛାଡି ଦେବା ପରେ ଏବେ ଦୟନୀୟ ଜୀବନଯାପନ କରୁଛନ୍ତି । ଦେଖନ୍ତୁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ନିକଟରେ ଥିବା ଆଦର୍ଶ କଲୋନୀବାସୀଙ୍କ ଦୁଃଖ କାହାଣି ।

ଏମିତି ବି ମଣିଷ ବଞ୍ଚୁଛନ୍ତି ପ୍ରତିଦିନ ପାଣିରେ ଘାଣ୍ଟିି ହେଉଛନ୍ତି । ପାଣି ଭିତରେ ଯାଆସ କରିବା ପାଇଁ ବାଧ୍ୟ ହେଉଛନ୍ତି । କେବଳ ଏତିକି ନୁହେଁ ଘର ଭିତରେ ବି ପାଣି ପଶି ଯାଇଛି । ଏ ଦୃଶ୍ୟ ବର୍ଷା ଦିନର ନୁହେଁ କି କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏ ଦୃଶ୍ୟ ହେଉଛି, ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ବାଲିଅନ୍ତା ଅଞ୍ଚଳ ଆଦର୍ଶ କଲୋନୀର । ଯେଉଁମାନେ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ଭିତରେ ରହିଛି ଅନେକ କ୍ଷୋଭ ।

୧୬ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ହଂସପାଳ ନିକଟରେ ରହୁଥିବା ୧୯ପରିବାରକୁ ୨୦୨୦ରେ ବିସ୍ଥାପିତ କରାଗଲା । ସେ ସମୟରେ ସରକାରୀ ମୂଲ୍ୟ ଅନୁସାରେ ସେମାନଙ୍କୁ କ୍ଷତିପୂରଣ ଦିଆଯାଇଥିଲା । ରହିବା ପାଇଁ ନୂଆ ଜାଗାର ପଟ୍ଟା ବି ମିଳିଥିଲା । କିନ୍ତୁ ମିଳିଥିବା ଜାଗା କୁଶଭଦ୍ରା ନଦୀର ଉପକୂଳବର୍ତି ଅଂଚଳ ହୋଇଥିବାରୁ ସବୁବେଳେ ପାଣି ଜମି ରହୁଛି । ଯାହାଫଳରେ ଏମାନେ ଯନ୍ତ୍ରଣା ଭୋଗୁଛନ୍ତି ।