ବୋଲ ମାନୁ ନାହାନ୍ତି ବାର ମାଲିକ: ଖୁଲମ ଖୁଲା ଅବକାରୀ ନିୟମକୁ ଫୁ

132

କନକ ବ୍ୟୁରୋ: ରାତି ହେଲେ ରାଜଧାନୀରେ ବେଧଡକ ବାର ମାଲିକ ! ଏପରି ଏକ ଅଭିଯୋଗ ଆସିଛି । କେତେ ସମୟ ଖୋଲା ରହିବ । ଖୋଲିବା ସମୟରେ ନିୟମ କଣ ସବୁ ଉଲ୍ଲେଖ ରହିଛି । ଅବକାରୀ ବିଭାଗ ତରଫରୁ ଏଥିପାଇଁ କଟକଣା ରହିଛି । କିନ୍ତୁ ଏବେ ବାର ମାଲିକ ଅବକାରୀ ବିଭାଗର ନିୟମକୁ ଫୁ କରି ଉଡାଇ ଦେଉଥିବା ଜଣାପଡିଛି । ସେପଟେ ନିୟମ ଉଲ୍ଲଙ୍ଘନ କରୁଥିବା ଏହି ବାର ଗୁଡିକୁ ଯାଇ ଯାଂଚ ପାଇଁ ନିର୍ଦେଶ ଦେଇଛନ୍ତି ଅବକାରୀ କମିଶନର ।

ଚକମକ ଲାଇଟ୍…ଅତ୍ୟାଧୁନିକ ଡିଜେ.. ତା ସାଙ୍ଗକୁ କାନ ଫଟାଇ ଦେଉଥିବା ସଂଗୀତ । ଏହି ମାହୋଲ ଭିତରେ ମସଗୁଲ ଯୁବପିଢି ମାଲ ପିଇ ମାତାଲ । ଯେତେ ରାତି ବଢୁଛି ତା ସାଙ୍ଗକୁ ବାର,କ୍ଲବ ଭିତରର ମାହୋଲ ସେତିକି ବଢି ବଢି ଚାଲିଛି । ଅବକାରୀ ବିଭାଗର ନିୟମ ଅନୁସାରେ ବାର ମାଲିକ ଏକ୍ସଟେଣ୍ଡ ଅଫ ଟାଇମ ବାବଦକୁ ୫ ହଜାର ଟଙ୍କା ପଇଠ କରି ୭ ଦିନ ପୂର୍ବରୁ ଆବେଦନ କରିବେ । ଏଥି ଅନୁସାରେ ରାତି ସାଢେ ୧ଟା ଯାଏଁ କ୍ଲବ ବା ବାର ଖୋଲାଯାଇପାରିବ । କିନ୍ତୁ ରାତି ୩ଟା ପରେ ଏବଂ ଭୋର ପର୍ଯ୍ୟନ୍ତ କିଛି ବାର ମାଲିକ ବେଆଇନ ଭାବେ ବେଧଡକ ବାର ଚଳାଉଥିବା ନଜରକୁ ଆସିଛି । ଯାହାକୁ ନେଇ ଆକ୍ସନ ମୋଡରେ ଅବକାରୀ କମିଶନର ।

ସେପଟେ ନିୟମ ଉଲ୍ଲଙ୍ଘନ କରୁଥିବା ଏହି ବାର ଗୁଡିକୁ ଯାଇ ଯାଂଚ ପାଇଁ ନିର୍ଦେଶ ଦେଇଛନ୍ତି ଅବକାରୀ କମିଶନର । ଯେଉଁ ବାର ଗୁଡିକ ବାରମ୍ବାର ନିୟମ ଖିଲାପ କରୁଥିବାର ଖବର ଆସିବ ଏହି ବାରର ଲାଇସେନ୍ସ ବାତିଲ କରାଯିବ । ଖାଲି ସେତିକି ନୁହେଁ ଯେଉଁ ଅବକାରୀ ଅଫିସର ନିଜ ଡ୍ୟୁଟିରେ ଅବହେଳା କରିବେ, କିମ୍ବା ତାଙ୍କ ଦାୟିତ୍ୱ ବା ତାଙ୍କ ଅଧିନରେ ଥିବା ବାର ବେଆଇନ ଭାବେ ଚଳାଉଥିବେ ସେହି ଅବକାରୀ ଅଫିସରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଠାରେ ପ୍ରଶ୍ନ ଉଠୁଛି –
– ବେଆଇନ ବାର ଚାଲିଥିଲେ ବି କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ?
– ବାର ମାଲିକଙ୍କୁ କିଏ ଦେଉଛି ସୁରକ୍ଷା?
– କାହା ଛାତ୍ରଛାୟା ତଳେ ରାତି ତମାମ ଜମୁଛି ମଦର ଆସର?
– ସକାଳ ଯାଏଁ ବାର ଚାଲିଥିଲେ ବି କାହିଁକି ଆଖି ବୁଜି ଦେଉଛନ୍ତି ଅବକାରୀ ଅଫିସର ?