ଘର ଦାଣ୍ଡ ଦେଇ ରଥ ଯିବ ବୋଲି … ପତ୍ନୀଙ୍କ ଅନ୍ତିମ ସଂସ୍କାର ଅଟକାଇଦେଲେ ମୁସଲମାନ ବ୍ୟକ୍ତି ।

2,416

କନକ ବ୍ୟୁରୋ: ଘର ଦାଣ୍ଡ ଦେଇ ରଥ ଯିବ ବୋଲି ନିଜ ପତ୍ନୀଙ୍କ ଅନ୍ତିମ ସଂସ୍କାର ଅଟକାଇଦେଲେ ମୁସଲମାନ ବ୍ୟକ୍ତି । ଭକ୍ତି ଓ ଭାଇଚାରାର ଏଭଳି ଏକ ଅପୂର୍ବ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଅହମ୍ମଦାବାଦରେ ।

ସେଠାରେ ୧୪୫ ବର୍ଷ ଧରି ଚାଲି ଆସୁଥିବା ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପୁଲିସ ମାସ ମାସ ଧରି କଠିନ ପରିଶ୍ରମ କରିଥାନ୍ତି । ସହରରେ ୧୪୬ତମ ରଥଯାତ୍ରା ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଏବଂ ଉତ୍ସାହର ସହ ସଂପୂର୍ଣ୍ଣ ହୋଇଥିବା ବେଳେ ସବୁ ଧର୍ମର ଲୋକଙ୍କ ସହଯୋଗ ରହିଥିଲା । କିନ୍ତୁ ଅହମ୍ମଦାବାଦର ଶାହାପୁର ଅଞ୍ଚଳରେ ରହୁଥିବା ସଲିମ ଶେଖ ନାମକ ଜଣେ ବ୍ୟକ୍ତି ରଥଯାତ୍ରା ସମୟରେ ଏଭଳି କିଛି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏବେ ଅହମ୍ମଦାବାଦ ପୁଲିସ ସଲିମ ଶେଖଙ୍କୁ ତାଙ୍କ ସହଯୋଗ ପାଇଁ ସମ୍ମାନିତ କରିଛି ।

ତଥ୍ୟ ମୁତାବକ, ଅହମ୍ମଦାବାଦର ଶାହପୁର ଅଞ୍ଚଳରେ ରହୁଥିବା ସଲିମ ଶେଖଙ୍କ ପତ୍ନୀଙ୍କର ରଥଯାତ୍ରା ଦିନ ମୃତ୍ୟୁ ହୋଇଥିଲା । ତେବେ ରଥଯାତ୍ରା ତାଙ୍କ ଘର ପାଖରୁ ଆରମ୍ଭ ହେବାକୁ ଯାଉଥିଲା । ପତ୍ନୀଙ୍କ ମୃତ୍ୟୁ ପରେ ସଲିମ ଶେଖ ପୁଲିସ ପାଖରେ ପହଞ୍ଚିି ପତ୍ନୀଙ୍କ ମୃତ୍ୟୁ କଥା କହିଥିଲେ । ସେ କହିଥିଲେ ଯେ ପତ୍ନୀଙ୍କ ମୃତଦେହକୁ କବର ଦେବାକୁ ନେବାକୁ ପଡ଼ିବ । ପୁଲିସ ସଲିମ ଶେଖଙ୍କୁ ପଚାରିଥିଲେ ତୁମେ ତାଙ୍କୁ କେତେବେଳେ କବର ଦେବାକୁ ନେବ । ସଲିମ ଶେଖ ପୁଲିସକୁ କହିଥିଲେ ଯେ ଆଜି ହେଉଛି ମହାପ୍ରଭୁଙ୍କ ରଥଯାତ୍ରାର ମହାପର୍ବ । ଏପରି ପରିସ୍ଥିତିରେ ତାଙ୍କ ଘର ସାମ୍ନା ଦେଇ ରଥ ଯିବ । ତେଣୁ ରଥ ଯିବା ପରେ ହିଁ ତାଙ୍କ ପତ୍ନୀକୁ କବର ଦେବା ପାଇଁ ଶ୍ମଶାନକୁ ନେବେ । ଅହମ୍ମଦାବାଦର ଜମାଲପୁର ମନ୍ଦିରରୁ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ତାଙ୍କ ଘର ଦେଇ ଯିବା ପର୍ଯ୍ୟନ୍ତ ଏବଂ ଭକ୍ତ ରଥକୁ ଟାଣି ଟାଣି ନେବା ପର୍ଯ୍ୟନ୍ତ ସେ ତାଙ୍କ ପତ୍ନୀଙ୍କ ମୃତଦେହକୁ ତାଙ୍କ ଘରେ ରଖିଥିଲେ । ପାଖାପାଖି ୫ ଘଣ୍ଟା ସମୟରେ ମୃତଦେହ ତାଙ୍କ ଘରେ ଥିଲା । ଏହା ପରେ ସେ ତାଙ୍କ ପତ୍ନୀଙ୍କୁ କବର ଦେବା ପାଇଁ ପରିବାର ଏବଂ ଘନିଷ୍ଠ ଲୋକଙ୍କ ସହିତ କବରିସ୍ତାନକୁ ଯାଇଥିଲେ । ଅହମ୍ମଦାବାଦ ପୁଲିସ ସଲିମ ଶେଖଙ୍କୁ ସମ୍ମାନୀତ କରିଛି । ଯିଏକି ରଥଯାତ୍ରା ସମୟରେ ଭାଇଚାରରା ଉଦାହରଣ ସୃଷ୍ଟି କରିଛି ।