ତୀସ୍ତା ସୀତଲବାଡଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି । ତୀସ୍ତାଙ୍କୁ ନିୟମିତ ଜାମିନ୍ ପ୍ରଦାନ କଲେ ଦେଶର ଶୀର୍ଷ ଅଦାଲତ । 

221

କନକ ବ୍ୟୁରୋ: ତୀସ୍ତା ସୀତଲବାଡଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି । ବୁଧବାର ଦେଶର ଶୀର୍ଷ ଅଦାଲତା ଗୁଜରାଟ ଦଙ୍ଗା ମାମଲାରେ ତୀସ୍ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ତୀସ୍ତା ସୀତଲବାଡ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ଉପରେ ଗୁଜରାଟ ଦଙ୍ଗା ମାମଲାରେ ମିଛ ଆଫିଡେଭିଟ୍ ଦାଖଲ କରି ଅଦାଲତଙ୍କ ଉପରେ ପ୍ରଭାବ ପକାଇବାର ଅଭିଯୋଗ ରହିଛି ।

ଏହାପୂର୍ବରୁ ଗତ ଜୁଲାଇ ୧ ତାରିଖରେ ହାଇକୋର୍ଟ ତୀସ୍ତାଙ୍କ ଜାମିନକୁ ରଦ୍ଦ କରିବା ସହିତ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟ ସେହିଦିନ ହିଁ ଏହା ଉପରେ ରୋକ୍ ଲଗାଇଥିଲେ । ତେବେ ବୁଧବାର ସୁପ୍ରିମକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।

୨୦୨୨ ମସିହା ଜୁନ୍ ୨୫ ତାରିଖରେ ତୀସ୍ତାଙ୍କୁ ଗିରଫ କରାଯାଇଥିଲା । ତେବେ ୨୦୨୨ ମସିହା ସେପ୍ଟେମ୍ବର ୨ ତାରିଖରେ ତାଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ । ଏହାପରେ ସୁପ୍ରିମକୋର୍ଟ ତୀସ୍ତାଙ୍କୁ ନିୟମିତ ଜାମିନ୍ ପାଇଁ ତଳ ଅଦାଲତ କିମ୍ବା ଗୁଜରାଟ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗୁଜରାଟ ହାଇକୋର୍ଟ ପୋଲିସର ସମସ୍ତ ପ୍ରମାଣ ଦେଖିବା ପରେ ତୀସ୍ତାଙ୍କୁ ନିୟମିତ ଜାମିନ୍ ପ୍ରଦାନ କରିବାକୁ ମନା କରିଦେଇଥିଲେ । ହେଲେ ଏହାପରେ ଦେଶର ସୁପ୍ରିମକୋର୍ଟ ଏବେ ତୀସ୍ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।