ମହାଠକ ସୁକେଶ ଆଣିଲା ବଡ ଅଭିଯୋଗ: ‘୭ କୋଟି ଦେଇ କେଜ୍ରିୱାଲ ଖବରକାଗଜରେ ନିଜ ପ୍ରଶଂସା ଛାପିଥିଲେ’

201

କନକ ବ୍ୟୁରୋ: କେଜ୍ରିୱାଲଙ୍କ ବିରୋଧରେ ପୁଣି ଆଉ ଏକ ଚିଠି ଲେଖିଲା ମହାଠକ ସୁକେଶ । ଏହି ଚିଠିରେ ସେ ଉଭୟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଜେଲରେ ଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଖୁଲାସା କରିଛି । ଯଦି ସେ ମିଛ କହୁଛି ବୋଲି ସରକାର ଭାବୁଥାନ୍ତି ତେବେ ତାଙ୍କର ପଲିଗ୍ରାଫ୍ କରାଇନେବାକୁ ଦାବି କରିଛି ସୁକେଶ ।

ମନିଲଣ୍ଡ୍ରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଆମ୍ ଅଦମୀ ପାର୍ଟିର ନେତା ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସତ୍ୟେନ୍ଦ୍ର ଜୈନ ଓ ମନିଷ ସିସୋଦିଆଙ୍କ ନିଦ ହଜାଇ ଦେଇଛି । ବାରମ୍ବାର ଚିଠି ଲେଖି ଏମାନଙ୍କ ବିରୋଧରେ ଖୁଲାସା କରିବାରେ ଲାଗିଛି ସୁକେଶ । ଶୁକ୍ରବାର ଆଉ ଏକ ଚିଠି ଲେଖି ଏମାନଙ୍କୁ ଟାର୍ଗେଟ କରିଛି ସୁକେଶ । ଏହି ଚିଠରେ ସେ ଲେଖିଛି ଯେ, ‘କେଜ୍ରୱାଲ ଜୀ ଯଦି ମୁଁ ମହାଠକ ତାହେଲେ ଆପଣ ମୋତେ ଦିଲ୍ଲୀ ସରକାରଙ୍କ ସ୍କୁଲର ପ୍ରମୋସନ କରାଇବାକୁ ଅନ୍ତର୍ଜାତୀୟ ଖରବ କାଗଜରେ ଖବର ଛାପିବାକୁ କାହିଁକି କହୁଥିଲେ’?

ସୁକେଶ ଚିଠିରେ ଏହା ମଧ୍ୟ ଲେଖିଛି ଯେ, ନ୍ୟୁୟର୍କ ଟାଇମ୍ସ ଓ ୱାଶିଂଟନ୍ ପୋଷ୍ଟ ପରି ଖ୍ୟାତନାମା ଖବରକାଗଜରେ ଦିଲ୍ଲୀ ସ୍କୁଲର ପେଡ୍ ନ୍ୟୁଜ୍ ଛାପିବାକୁ ୮ ଲକ୍ଷ ୫୦ ହଜାର ଡଲାର ଅର୍ଥାତ୍ ପାଖାପାଖି ୭ କୋଟି ଟଙ୍କା କମିଶନ୍ ଦିଆଯାଇଥିଲା । ସୁକେଶକୁ କୁହାଯାଇଥିଲା ଯେ ଦିଲ୍ଲୀ ସରକାର ଓ ସ୍କୁଲର ଏପରି ପ୍ରମୋସନ ହେବା ଉଚିତ ଯାହା କେବେବି ଆଗରୁ ହୋଇନଥିବ । ପ୍ରଥମେ ତାଙ୍କୁ ପୁରା ପେମେଣ୍ଟ ଆମେରିକୀୟ ଆକାଉଣ୍ଟରେ କରିବାକୁ କୁହାଯାଇଥିଲା । ହେଲେ ପରେ ପୁରା ପେମେଣ୍ଟ କ୍ୟାସ ଆକାରରେ କରିବାକୁ କୁହାଯାଇଥିଲା ବୋଲି ସୁକେଶ ଦାବି କରିଛି ।