ବାରଗର୍ଲ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ନୂଆ ମୋଡ : ଜାତୀୟ ମାନବାଧିକାର କମିଶନରେ ରୁଜୁ ହେଲା ମାମଲା

245

କନକ ବ୍ୟୁରୋ : ବାରଗର୍ଲ ଶୁଭଲକ୍ଷ୍ମୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ରହସ୍ୟଜନକ ଢଙ୍ଗରେ ରାଜଧାନୀର କଟକରୋଡ ସ୍ଥିତ ଦୀପାଳି ହୋଟେଲରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ହୋଇଛି । କମିସନରେଟ ପୋଲିସ ଏହାର ତଦନ୍ତ କରୁଥିବା ବେଳେ ଜାତୀୟ ମାନବାଧିକାର କମିଶନ ପାଖରେ ମାମଲା ପହଞ୍ଚିଛି ।

ପୀଡିତାଙ୍କ ପରିବାରକୁ ନ୍ୟାୟ ଓ ପ୍ରକୃତ ଦୋଷୀଙ୍କୁ ଗିରଫ ଦାବିରେ ମାମଲା ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ । ଏହି ମାମଲାରେ ବର୍ତମାନ ସଦ୍ଧା ଲକ୍ଷ୍ମୀସାଗର ଥାନା ପୋଲିସ, ପୁରୁଷ ବନ୍ଧୁ, ସଂପର୍କୀୟ ଅଙ୍କଲ ଓ ବାରର କର୍ମଚାରୀଙ୍କ ସହ ମୋଟ ୧୨ ଜଣଙ୍କୁ ପଚାଉଚରା କରିଛି । ହେଲେ ପ୍ରକୃତ ଦୋଷୀଙ୍କୁ ଏଯାଏଁ ଗିରଫ କରିପାରି ନାହିଁ ।

ଭଦ୍ରକର ଜଣେ ଛାତ୍ରୀ ପାଠ ପଢିବାକୁ ରାଜଧାନୀକୁ ଆସିଥିଲେ । କେଉଁ ପରିସ୍ଥିତିରେ ପଡି ସେ ବାରରେ କାମ କରିବାକୁ ବାଧ୍ୟ ହେଲେ । କେମିତି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଗଲା । ତାହା ଏବେ ରହସ୍ୟ ଘେରରେ ରହିଛି । ପୋଲିସ ତଦନ୍ତ ଚାଲିଥିବା ବେଳେ ପ୍ରକୃତ ଦୋଷୀ ଧରାପଡିନଥିବାରୁ ଏନଏଚଆରସିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ।