ବହି ବସ୍ତାନୀ ଧରି ବ୍ଲକ କାର୍ଯ୍ୟାଳୟରେ ବସିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ଶ୍ରେଣୀ ଗୃହ ସମସ୍ୟାକୁ ନେଇ କଲେ ଅଭିନବ ପ୍ରତିବାଦ ।

119

କନକ ବ୍ୟୁରୋ: ବହି ବସ୍ତାନି ଧରି ସ୍କୁଲ ବଦଳରେ ବ୍ଲକ କାର୍ଯ୍ୟାଳୟକୁ ପାଠ ପଢିବାକୁ ଗଲେ ପିଲା । ଜଣେ କି ଦୁଇ ଜଣ ନୁହେଁ ୫୦ରୁ ଅଧିକ ଛାତ୍ରଛାତ୍ରୀ ବ୍ଲକ ଭିତରକୁ ଆସିଥିବାର ଦେଖିବାକୁ ମିିଳିଛି । ଆଉ ଛାତ୍ରଛାତ୍ରୀଙ୍କୁ ଦେଖି ବି.ଡି.ଓ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ସ୍କୁଲ ସମସ୍ୟା ବିଷୟରେ ଅଭିଯୋଗ କରିବାକୁ ପିଲାମାନ ଆସିଛନ୍ତି ବୋଲି ଜାଣିବା ପରେ ବ୍ଲକ ସମ୍ମିଳନୀ କକ୍ଷରେ ବସାଇ ଥଣ୍ଡା ପାନୀୟ ଦେଇ ଚର୍ଚ୍ଚା କଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଆସିକା ବ୍ଲକ ପରିସରରେ ।

ଆସିକା ବିଜ୍ଞାପିତ ପରିସରର ୧୬ ନମ୍ବର ଓାଡରେ ରହିଛି ଲଛମନ ପଲ୍ଲୀର ପ୍ରକଲ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟରେ ପଞ୍ଚମ ଠାରୁ ଅଷ୍ଠମ ପଯ୍ୟନ୍ତ ରହିଛି । ଆଉ ଏଠାରେ ମୋଟ ୯୦ ଜଣ ଛାତ୍ର ଛାତ୍ରୀ ପାଠ ପଢନ୍ତି । ବିଦ୍ୟାଳୟର ମୁଖ୍ୟ ସମସ୍ୟା ହେଉଛି ଶ୍ରେଣୀ ଗୃହ । ଶ୍ରେଣୀ ଗୃହ ଗୁଡିକ ଦୁର୍ବଳ ଥିବାରୁ ୫ଟି ଶ୍ରେଣୀ ଘର ଭାଙ୍ଗି ନୂତନ ଭାବେ ତିଆରି କରିବାର ବ୍ୟବସ୍ଥା ରହିଛି । ହେଲେ ଗତ ୮ ମାସ ହେବ ଶ୍ରେଣୀ ଗୃହ ଭଙ୍ଗା ଯାଇଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରାଯାଇ ନାହିଁ । ଫଳରେ ଏବେ ୮ ଟି କ୍ଲାସର ପିଲା ପାଠ ପଢିବାରେ ବହୁ ଅସୁବିଧା ହେଉଛନ୍ତି । ଏବେ ମାତ୍ର ୩ ଟି ଶ୍ରେଣୀ ଗୃହ ଥିବା ବେଳେ ଗୋଟିଏ ଗୃହରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀ ଅନ୍ୟ ଗୋଟିଏ ଗୃହରେ ଚତୁର୍ଥ, ପଞ୍ଚମ ଓ ଆଉ ଗୋଟିଏ ଗୃହରେ ଷଷ୍ଠ, ସପ୍ତମ ଓ ଅଷ୍ଠମ ଶ୍ରେଣୀର ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ଯାହା ଫଳରେ ପଢିବା ଅସୁବିଧା ହେବା ସହ ବର୍ଷା ହେଲେ ନାନା ଅସୁବିଧା ହେଉଛି ।

ସ୍କୁଲର ଏହି ଅସୁବିଧା ବିଷୟରେ ପିଲାମାନେ ବାରମ୍ଭାର କହି ଆସିବା ପରେ ମଧ୍ୟ କୌଣସି ସମାଧାନ ହେଉ ନଥିଲା । ଫଳରେ ଆଜି ଷଷ୍ଠ,ସପ୍ତମ ଓ ଅଷ୍ଠମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଏକତ୍ରିତ ହୋଇ ସ୍କୁଲ ନ ଆସି ଗାଁ ରେ ବୁଲି ବୁଲି ସ୍କୁଲ ପରିଚାଳନା କମିଟିର ସଭ୍ୟ ମାନଙ୍କୁ ଜଣାଇଥିଲେ । ହେଲେ କେହି ନ ଶୁଣିବାରୁ ଶେଷରେ ସମସ୍ତେ ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ।