କରୋନା ପାଇଁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ପରେ ବାଣୀବିହାରରେ ମହାଭାରତ । ଜୋରଦାର ପ୍ରତିବାଦ କଲେ ବାଣୀବିହାର ଛାତ୍ର ।

କହିଲେ. ପିପିଲି ପ୍ରଚାରରେ କାହିଁକି କଟକଣା କରୁନାହାନ୍ତି ସରକାର

175

କନକ ବ୍ୟୁରୋ: ଆଜି ସରକାରଙ୍କ ଶିକ୍ଷାନୁଷ୍ଠାନ ବନ୍ଦକୁ ବିରୋଧ କରି ମୁଖ୍ୟ ଫାଟକରେ ତାଲା ପକାଇ ଦେଇ ପ୍ରତିବାଦକୁ ଓହ୍ଲାଇଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ଯାହାଫଳରେ ରାସ୍ତାରେ ବାଧାପ୍ରାପ୍ତ ହୋଇଥିିଲା ଗାଡି ଚଳାଚଳ । ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଲା, କରୋନାର ଆଳ ଦେଖାଇ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ଓ ହଷ୍ଟେଲକୁ ବନ୍ଦ କରୁଛନ୍ତି । ବାଣୀବିହାରର ହଷ୍ଟେଲରେ କୌଣସି ଛାତ୍ରଛାତ୍ରୀଙ୍କ ଠାରେ କରୋନା ଚିହ୍ନଟ ହୋଇନଥିବା ବେଳେ କାହିଁକି ବନ୍ଦ କରାଯାଉଛି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି । ଯେତେବେଳେ ନିର୍ବାଚନ ପାଇଁ ରାଲି ହେଉଛି, ବଡ ବଡ ମଲ ଖୋଲା ରହୁଛି ସେତେବେଳେ ଲୋକଙ୍କ ଗହଳି ଭିତରେ କଣ କରୋନା ବ୍ୟାପୁନାହିଁ କେବଳ ଶିକ୍ଷାନୁଷ୍ଠାନରେ କରୋନା ବ୍ୟାପୁଛି କି ବୋଲି ସେମାନେ ପ୍ରଶ୍ନ ଛିଡା କରିଛନ୍ତି ।

ବାଣୀବିହାର ଗେଟ ସମ୍ମୁଖରେ ବିକ୍ଷୋଭ କରିବା ପରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ଭେଟିଥିଲେ । କୋର୍ସ ଶେଷ କରିବା ସହିତ ଅଧିକ ପାଠ ପଢିବାକୁ ହେଲେ ହଷ୍ଟଲରେ ରହିବା ଜରୁରୀ ବୋଲି ସେମାନେ ଦାବି ଉପସ୍ଥାପନ କରିଥିଲେ । ହଷ୍ଟେଲ ବନ୍ଦ ହେଲେ ପାଠପଢା ଉପରେ ଏହାର ପ୍ରଭାବ ପଡିବା ନେଇ ମନ୍ତ୍ରୀଙ୍କୁ କହିବା ପରେ ବଦଳିଥିଲା ନିଷ୍ପତି । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ବର୍ତମାନ ପାଇଁ ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ।

ଏନେଇ ଗୁରୁବାର ପ୍ରକାଶ ପାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଥିଲା, ୧୭ ଏପ୍ରିଲରୁ ହଷ୍ଟେଲ ମେସ ବନ୍ଦ ରହିବ । ବାଣୀବିହାରର ହଷ୍ଟେଲରେ ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀ ଏପ୍ରିଲ ୧୨ରେ ଏବଂ ପ୍ରଥମ ସେମିଷ୍ଟାର ଛାତ୍ରଛାତ୍ରୀ ଏପ୍ରିଲ ୧୬ରେ ହଷ୍ଟେଲ ଛାଡିବେ । ଯାହାକୁ ବିରୋଧ କରିଥିଲେ ଛାତ୍ରଛାତ୍ରୀ ।