ବନ୍ଦେଭାରତ ଏକ୍ସପ୍ରେସ୍ ଉପରକୁ ପଥରମାଡ । ୬ ମାସରେ ସପ୍ତମ ଘଟଣା

3,151

କନକ ବ୍ୟୁରୋ: ରବିବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶର ମୁଜାଫରନଗର ଷ୍ଟେସନ୍‌ ନିକଟରେ ଦିଲ୍ଲୀ-ଡେରାଡୁନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ଟେକାମାଡ଼ କରାଯାଇଛି। ସନ୍ଧ୍ୟା ପ୍ରାୟ ୭ଟା ବେଳେ ଟ୍ରେନ୍‌ ମୁଜାଫରନଗର ଷ୍ଟେସନ୍‌ରେ ପହଞ୍ଚୁଥିବା ବେ ଳେ ‘କୋଚ୍‌ ଇ-୧’ର ସିଟ୍‌ ନମ୍ବର ୧୩-୧୪ ଉପରେ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି ଏବଂ ଦୁର୍ବୃତ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଛି। ରେଳବାଇ ପୁଲିସ ଫୋର୍ସ ମଧ୍ୟ ଅଜ୍ଞାତ ଦୁର୍ବୃତ୍ତମାନଙ୍କ ନାଁରେ ମାମଲା ରୁଜୁ କରିଛି।

ସୂଚନା ମୁତାବକ, ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆକ୍ରମଣ କରାଯିବାରେ ଏହା ପ୍ରଥମ ଘଟଣା ନୁହେଁ। ବିଭିନ୍ନ ରାଜ୍ୟରେ ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ କରିବା ଦିନରୁ ଟେକାମାଡ଼ ଘଟଣା ଘଟିଆସୁଛି। ଗତ ଛଅ ମାସ ମଧ୍ୟରେ କେରଳ, ପଶ୍ଚିମବଙ୍ଗ, ଛତିଶଗଡ଼, ତାମିଲନାଡୁ ଓ କର୍ଣ୍ଣାଟକରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ଟେକାମାଡ଼ ହୋଇଥିବା ରିପୋର୍ଟ କରାଯାଇଛି। ଏହା ପୂର୍ବରୁ ମେ ୨ ତାରିଖ ଦିନ କେରଳର ମାଲାପୁରମ୍‌ ଜିଲ୍ଲା ଅନ୍ତର୍ଗତ ତିରୁର୍‌ ରେଳ ଷ୍ଟେସନ୍‌ ଅତିକ୍ରମ କରିବା ବେଳେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାମାଡ଼ ହୋଇଥିଲା। ରେଳବାଇ ଅଧିକାରୀମାନଙ୍କ କହିବା ଅନୁସାରେ, ଟେକାମାଡ଼ରେ ‘ସି-କୋଚ୍‌’ର ସିଟ୍‌ ନମ୍ବର ୬୩ ଓ ୬୪ର ଝରକା କାଚ ଭାଙ୍ଗିଯାଇଥିଲା।