ସରକାରୀ ଡାକ୍ତରଖାନାରୁ ମେଡିସିନ୍ ଚୋରି : ଔଷଧ ନେଉଥିବା ବେଳେ ଧରାପଡ଼ିଲେ ଫାର୍ମାସିଷ୍ଟ

7,111

କନକ ବ୍ୟୁରୋ : ଡାକ୍ତରଖାନାରୁ ଚୋରି ହେଉଛି ସରକାରୀ ମେଡିସିନ୍ । କୌଣସି ବାହାର ବ୍ୟକ୍ତି ନୁହେଁ, ଖୋଦ୍ ବିଭାଗୀୟ କର୍ମଚାରୀ ଏହି ମେଡିସିନ୍ ଚୋରି କରିଥିବା ଅଭିଯୋଗ ହୋଇଛି । ବରଗଡ଼ ମୁଖ୍ୟ ଚିକିତ୍ସାଳୟରୁ ଏପରି ଅଭିଯୋଗ ଆସିଛି । ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ନିର୍ମଳ ପ୍ରଧାନ ଏପରି ଚୋରି କରୁଥିବା ବେଳେ ସିକ୍ୟୁରିଟି ଗାର୍ଡଙ୍କ ହାତରେ ଧରା ପଡିଛନ୍ତି । ତେବେ ବିଭାଗୀୟ ଅଧିକାରୀ ମାନେ ମାମଲାକୁ ରଫାଦଫା କରିବା ପାଇଁ ଚୋରି ମେଡିସିନକୁ ଲୁଚାଇବାକୁ ଚେଷ୍ଟା କରୁଥିବା ସୂଚନା ମିଳିଥିଲା ।

ଖବର ପାଇ କନକ ନ୍ୟୁଜ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ମେଡିସିନ ଭର୍ତ୍ତି ବସ୍ତା ଖୋଲିବା ପରେ ସେଥିରୁ ଦାମୀ ଔଷଧ, ସିରଫ, ସାଲାଇନ୍, ଇଞ୍ଜେକ୍ସନ, ଡ୍ରଫ୍ ବାହାରିଥିଲା । ଏହି ମେଡିସିନ ଗୁଡିକରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କୌଣସି ଲୋଗୋ ନଥିବାରୁ ନିରାମୟରୁ ଚୋରି କରି ବାହାରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ରାଜ୍ୟ ସରକାର ନିରାମୟ ଯୋଜନା ମାଧ୍ୟମରେ ଗରିବ ଅସହାୟଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ।

ଏହାସହ ଅଧିକ ମୂଲ୍ୟର ଔଷଧ ବଜାରରୁ କିଣି ନିରାମୟ ମାଧ୍ୟମରେ ମାଗଣାରେ ରୋଗୀଙ୍କୁ ଯୋଗାଉଛନ୍ତି । ମାତ୍ର ଏପରି ଅସାଧୁ କର୍ମଚାରୀଙ୍କ ପାଇଁ ସାଧାରଣ ଅସହାୟ ରୋଗୀ ଏହି ଔଷଧ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅବଗତ ଥିବା କହିଛନ୍ତି । ଏହାସହ ଘଟଣାରେ ତଦନ୍ତ କରାଯିବା ପରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।