OAS ସଫଳତା ପଛର ସଙ୍ଘର୍ଷମୟ କାହାଣୀ : କିଏ ପାଲାଗାୟକ ପରିବାରରୁ ପ୍ରଶାସନିକ ଅଧିକାରୀ ତ ଆଉ କିଏ ଗରିବ ବାପଙ୍କୁ ହରାଇ ପୂରାକଲା ଅଧୁରା ସ୍ୱପ୍ନ 

443

କନକ ବ୍ୟୁରୋ : ସଫଳତା ପାଇବାକୁ ହେଲେ ସର୍ଟକଟ୍ ନୁହେଁ ସଙ୍ଘର୍ଷ କରିବାକୁ ପଡ଼ିବ । ଅଭାବ, ଆର୍ଥିକ ଅନଟନକୁ ଅଣଦେଖା କରି ଆଗକୁ ବଢ଼ିବାକୁ ହେବ । ପାଠ ପଢ଼ିବାକୁ ହେବ, କିଛି କରିବାର ଜିଦ୍ ଆଉ ଜୋଶ୍ ମନରେ ରଖିପାରିଲେ ହିଁ ସଫଳତାର ବଡ଼ ସମୁଦ୍ରକୁ ପାରି କରିହେବ । ଏମିତି କିଛି ଉଦାହରଣ ପାଲଟିଛନ୍ତି ଓଏଏସ୍ ପରୀକ୍ଷାରେ ସଫଳତା ପାଇଥିବା କୃତିତ୍ୱ ହାସଲକାରୀ ।

ପାଲା ଗାୟକ ପରିବାରରୁ ପ୍ରଶାସନିକ ଅଧିକାରୀ । ଦାରିଦ୍ର୍ୟତା ଆଗରେ ହାରମାନିଛି ଦୃଢ଼ ଉଚ୍ଛାଶକ୍ତି । ନିପଟ ମଫସଲରୁ ଆଜି ପାଲିଟିଛନ୍ତି ହାକିମ ବାବୁ । ନିମାପଡ଼ା ବ୍ଲକ ଅଧିନସ୍ଥ ବଉଳପଦା ଗାଁର ପାଲାଗାୟକ ଗଜେନ୍ଦ୍ର ପରିଡ଼ା । ତାଙ୍କ ପୁଅ ପ୍ରକାଶ ପରିଡ଼ା ଓଏଏସ୍ ପାଇ ଜିଲ୍ଲା ତଥା ରାଜ୍ୟର ଗୌରବ ବଢ଼ାଇଛି । ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ନାହିଁ, ଯାହା ମିଳେ ସେଥିରେ ତେଲ, ଲୁଣରେ ସଂସାର ଚଳେ । ହେଲେ ସବୁ ପରିସ୍ଥିତି ସମ୍ମୁଖିନ ହୋଇ ହାକିମ ବାବୁ ହୋଇପାରିଛନ୍ତି ପ୍ରକାଶ । ଦୁଇଦୁଇ ଥର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ବିଫଳ ହୋଇଥିଲେ ମଧ୍ୟ ତୃତୀୟ ଥର ପରୀକ୍ଷା ଦେଇ ସଫଳତା ପାଇଛନ୍ତି ।

ସେହିପରି କେନ୍ଦ୍ରାପଡ଼ା ମାର୍ଶାଘାଇ ଅନ୍ତର୍ଗତ ଅଙ୍ଗୁଳାଇ ଗାଁର ଉଷାରାଣୀ ପ୍ରଧାନଙ୍କ ପୁଅ ଓଏଏସ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି । ଜଣେ ସାଧାରଣ ପରିବାରର ପୁଅ ବାପା ଚାଲିଯିବା ପରେ ହାର ନମାନି ସରକାରୀ ବାବୁ ବନି ପାରିଛନ୍ତି । ଆର୍ଥିକ ଅନଟନକୁ ଏଡାଇ ପ୍ରଶାସନିକ ଅଧିକାରୀ ହୋଇପାରିଛନ୍ତି ଗାଁର ଗଜେନ୍ଦ୍ର ପ୍ରଧାନ ।

ଏପଟେ ନିଆଳି ଦ୍ୱୀପାଞ୍ଚଳ ପାଇଁ ଆଲୋକ ପାଲଟିଛନ୍ତି ବାପ ଛେଉଣ୍ଡ ଝିଅ ଶ୍ୱେତଲିନା ସାହୁ । ପିଲାଟି ଦିନରୁ ତୁଳସୀ ଦୁଈ ପତ୍ରରୁ ବାସିଲା ପରି ସେ ଜଣା ପଡୁଥିଲେ । ପଙ୍କରୁ ପଦ୍ମ ଫୁଟିଲା ଭଳି ଚଳିତ ବର୍ଷ ଓଏଏସ୍ ପରୀକ୍ଷାରେ କୁତକାର୍ଯ୍ୟ ହୋଇ ଜନ୍ମମାଟିକୁ ଫେରିଛନ୍ତି । ଗାଁରେ ପାଦ ରଖିବା ପରେ ଡିଜେ ବଜାଇ ନାଚ, ଗୀତ ସହ ସୁନା ଝିଅ ଶ୍ୱେତାଲୀନାଙ୍କୁ ପାଛୋଟି ନେଲେ ଗ୍ରାମବାସୀ । ଏହାକୁ ଦେଖି ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ସତରେ ସଫଳତା ପାଇଁ ସାଧନା କରିବାକୁ ପଡେ । ସବୁ କିଛି ତ୍ୟାଗ ବଳିଦାନ ଦେଇ ସମସ୍ୟାର ସାମ୍ନା କରିପାରିଲେ ହିଁ ଭାଗ୍ୟର ପରୀକ୍ଷାରେ ଉତୀର୍ଣ୍ଣ ହୋଇପାରିବା । ଏହି କୃତକାର୍ଯ୍ୟମାନେ ଏମିତି କିଛି ପ୍ରମାଣିତ କରିଦେଖାଇଛନ୍ତି ।