ଜି-୨୦ ବୈଠକ ପାଇଁ ଦିଲ୍ଲୀରେ କଡାକଡି ସୁରକ୍ଷା ବ୍ୟବସ୍ଥା । ସୁରକ୍ଷାରେ ନିୟୋଜିତ ୧ହଜାର ସୁରକ୍ଷା କର୍ମୀ, ୩୦୦ ବୁଲେଟପ୍ରୁଫ୍ ଗାଡି

288

କନକ ବ୍ୟୁରୋ : ଦିଲ୍ଲୀଠାରେ ସେପ୍ଟେମ୍ବର ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜି-୨୦ ବୈଠକ ପାଇଁ ଗୃହମନ୍ତ୍ରଣାଳୟ ତରଫରୁ ଏକ ବୈଠକ ହୋଇସାରିଛି । ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ ମୁଖ୍ୟ ଭାବେ ନୋଡାଲ ଏଜେନ୍ସି ସହ ସମସ୍ତ ଅର୍ଦ୍ଧସାମରିକ ବଳର ଯବାନମାନଙ୍କୁ ନିୟୋଜିତ କରାଯାଇଛି । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଜି-୨୦ ବୈଠକ ପାଇଁ ସୁରକ୍ଷା ବ୍ୟବସ୍ଥାରେ ସିଆରପିଏଫର ୫୦ଟି ଟିମକୁ ପ୍ରସ୍ତୁୁତ କରାଯାଇଛି । ଏଥିରେ ପାଖାପାଖି ୧ହଜାର ଯବାନ ସାମିଲ ହେବେ । ଏହି ଯବାନମାନେ ଅତିଥିଙ୍କ ସୁରକ୍ଷାରେ ନିୟୋଜିତ ରହିବେ ।

କେବଳ ସେତିକି ନୁହେଁ ସିଆରପିଏଫର ସ୍ପେଶାଲ କମାଣ୍ଡୋ ଟିମ୍ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନବନ୍ଦର ଓ ଗାଜିଆବାଦ ହିଡନ ଏୟାରବସ ଠାରୁ ପ୍ରଗତୀ ମୈଦାନର ଜି-୨୦ ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ନିୟୋଜିତ ରହିବେ । ସେହିଭଳି ଅତିଥିମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ସମ୍ମିଳନୀକୁ ଆସୁଥିବା ଅତିଥିମାନଙ୍କ ପାଇଁ ୩୦୦ଟି ବୁଲେଟପ୍ରୁଫ୍ ଗାଡିର ବ୍ୟବସ୍ଥା କରିଛନ୍ତି ।

ସେପଟେ ବିଦେଶରୁ ଆସୁଥିବା ଅତିଥିମାନଙ୍କ ପାଇଁ ଦିଲ୍ଲୀ ଏନସିଆରର ୯ଟି ହୋଟେଲ ଓ ଦିଲ୍ଲୀରେ ୨୩ଟି ହୋଟେଲର ବ୍ୟବସ୍ଥା କରାଯାଇଛି । ହେଲେ ସୁରକ୍ଷାକୁ ଦୃଷ୍ଟିରେ ରଖି ହୋଟେଲଗୁଡିକର ନାମ ଗୋପନ ରଖାଯାଇଛି ।