ଆକାଶରେ ଚାଲିଛି ଛାଇ ଆଲୁଅର ଖେଳ । ଖାଲି ଆଖିରେ ଦେଖନ୍ତୁ ନାହିଁ ସୂର୍ଯ୍ୟୋପରାଗ ।

737

କନକ ବ୍ୟୁରୋ : ଆରମ୍ଭ ହୋଇଛି ବିରଳ ବଳୟ ସୂର୍ଯ୍ୟୋପରାଗ । ଏହି ମହାଜାଗତିକ ଦୃଶ୍ୟ ସମଗ୍ର ଓଡ଼ିଶାରେ ଆଂଶିକ ଭାବେ ଦେଖାଯାଉଛି । ଓଡ଼ିଶାରେ ସକାଳ ୮ଟା ୧୯ ମିନିଟ୍‌ରୁ ଆରମ୍ଭ ହୋଇଛି ଏବଂ  ପୂର୍ବାହ୍ନ ୧୧ଟା ୨୮ ମିନି୍‌ଟରେ ଶେଷ ହେବ। ଏଠାରେ ଆମେ ଆପଣଙ୍କୁ ସଚେତନ କରାଇ ଦେଉଛୁ କି ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟଙ୍କୁ ଖାଲିଆଖିରେ କେବେ ବି ଦେଖନ୍ତୁ ନାହିଁ । ପଠାଣି ସାମନ୍ତ ପ୍ଲାନେଟୋରିୟମ ଓ ଅନେକ ଅନୁଷ୍ଠାନ ତରଫରୁ ଲୋକମାନଙ୍କୁ ଏ ବିଷୟରେ ସଚେତନ କରାଯାଉଛି । ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ଏକ ପ୍ରେସ ବିବୃତି ଜାରି କରି ଜନସାଧାରଣଙ୍କୁ ସଚେତନ କରିଛନ୍ତି । ସୂର୍ଯ୍ୟୋପରାଗ ଦେଖିବା ଲାଗି ଦୂରବୀକ୍ଷଣ ଯନ୍ତ୍ର ଅଥବା ସୌର ଚଷମା ବ୍ୟବହାର କରିବା ଜରୁରୀ ବୋଲି ସେ କହିଛନ୍ତି ।

ଏହି ଦୃଶ୍ୟକୁ ନିରାପଦରେ ଦେଖିବା ପାଇଁ ଭୁବନେଶ୍ବର ପଠାଣି ସମାନ୍ତ ପ୍ଲାନେଟୋରିୟମରେ ବ୍ୟବସ୍ଥା କରାଯାଇଛି । ଏଥି ସହିତ ସାମନ୍ତ ଚନ୍ଦ୍ରଶେଖର ଜ୍ୟୋତିର୍ବିଜ୍ଞାନ ପରିଷଦ ସହାୟତାରେ ପଦାର୍ଥ ବିଜ୍ଞାନ ଅନୁଷ୍ଠାନଠାରେ ମଧ୍ୟ ଦୂରବୀକ୍ଷଣ ମାଧ୍ୟମରେ ଏହି ପରାଗ ଦେଖିବାର ବ୍ୟବସ୍ଥା କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବିରଳ ସୂର୍ଯ୍ୟପରାଗ ଦେଖିବା ପାଇଁ ପ୍ଲାନେଟାରିୟମ ସହ ଅନେକ ବିଜ୍ଞାନ ପ୍ରେମୀ ଅନୁଷ୍ଠାନ ବିଭିନ୍ନ ବ୍ୟବସ୍ଥା କରିବା ସହ ସୌର ଚଷମା ଯୋଗାଇବାର କାର୍ଯ୍ୟ ମଧ୍ୟ କରିଛନ୍ତି ।

ସେହିପରି ବିଜ୍ଞାନ ଚେତନା ମଞ୍ଚ ତରଫରୁ ବିଜେବି କଲେଜ ପଡ଼ିଆରେ ସୂର୍ଯ୍ୟୋପରାଗ ନିରାପଦରେ ଦେଖିବାର ବ୍ୟବସ୍ଥା କରାଯାଇଛି । ତେଣୁ ଏହି ସୁଯୋଗକୁ ହାତଛଡ଼ା ନକରିବା ପାଇଁ ଛାତ୍ର-ଛାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି । ଆସନ୍ତୁ ସମସ୍ତେ ଏହି ବିରଳ ଦୃଶ୍ୟ ଗୁଡ଼ିକୁ ଉପଭୋଗ କରିବା, ଏହା ପଛରେ ଥିବା ବୈଜ୍ଞାନିକ କାରଣଗୁଡ଼ିକ ଜାଣିବା ଓ ଆମ ସମାଜରେ ଭରି ରହିଥିବା ଅନ୍ଧ ବିଶ୍ବାସ ଗୁଡ଼ିକ ଦୂରକରିବାରେ ସହାୟକ ହେବା ।