ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ବିଦ୍ୟୁତ୍ ତାର ଲାଗି ମହିଳା ମୃତ । ପଞ୍ଚକୁଲାରେ ନଦୀରେ ଭାସିଗଲା କାର, ମୁମ୍ବାଇରେ ଭାଙ୍ଗିଲା କୋଠା

488

କନକ ବ୍ୟୁରୋ : ଦେଶରେ ମୌସୁମୀ ଆସୁ ଆସୁ ବିଭିନ୍ନ ରାଜ୍ୟରେ ବର୍ଷା ବିପତ୍ତି ଦେଖିବାକୁ ମିଳିଛି । ଦିଲ୍ଲୀ ଓ ମୁମ୍ବାଇରେ ଜାରି ରହିଛି ସ୍ୱଳ୍ପ ବର୍ଷା । ଏହାରି ମଧ୍ୟରେ କିଛି ଚିତ୍ର ଏବେ ସମସ୍ତଙ୍କୁ ଚକିତ କରିଛି । ବର୍ଷା କାରଣରୁ ମୁ୍ମ୍ବାଇର ଏକ କୋଠା ଭାଙ୍ଗିପଡିଛି । ଫଳରେ କୋଠା ଭିତରେ ୨ଜଣ ଲୋକ ଫଶି ରହିଥିବା ଅନୁମାନ କରାଯାଉଛି । ସେହିଭଳି ହରିଆଣାର ପଞ୍ଚକୁଲାରେ ବର୍ଷା କାରଣରୁ ଏକ କାର ନଦୀରେ ଭାଶି ଯାଇଛି । ସେପଟେ ଦିଲ୍ଲୀ ରେଳ ଷ୍ଟେସନରେ ପାଣିରେ ବୁଡି ରହିଥିବା ବିଜୁଳି ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।

ହରିଆଣା ପଞ୍ଚକୁଲାରେ ଖଡକ ମଙ୍ଗୋଲୀ ନିକଟରେ ପୂଜା କରିବାକୁ ଆସିଥିବା ଜଣେ ମହିଳାଙ୍କ କାରଟି ନଦୀରେ ଭାସି ଯାଇଛି । ମହିଳା ଜଣଙ୍କ କାରଟିକୁ ନଦୀକୂଳରେ ରଖି ପୂଜା କରିବାକୁ ଯାଇଥିବା ବେଳେ ପ୍ରବଳ ବର୍ଷା କାରଣରୁ କାରଟି ନଦୀରେ ଭାସି ଯାଇଛି ।

ସେହିଭଳି ବର୍ଷା କାରଣରୁ ମୁମ୍ବାଇର ଏକ କୋଠା ଭାଙ୍ଗିପଡିଛି । ମୁମ୍ବାଇର ଘାଟକୋପର ସ୍ଥିତ ତ୍ରିମୂର୍ତ୍ତି କୋଠାର କିଛି ଅଂଶ ଭାଙ୍ଗିପଡିଛି । ଭଙ୍ଗାକୋଠା ଭିତରେ ୨ଜଣ ଲୋକ ଫଶି ରହିିଥିବା କଥା କୁହାଯାଉଛି । ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ।

ଅନ୍ୟପଟେ ଦିଲ୍ଲୀର ଜଣେ ମହିଳା ଦିଲ୍ଲୀ ରେଳ ଷ୍ଟେସନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ସାକ୍ଷୀ ଆହୁଜା ନାମକ ମହିଳା ସ୍ୱାମୀଙ୍କ ସହ ଟ୍ରେନରେ କେଉଁଆଡେ ଯିବାକୁ ଆସିଥିଲେ । ହେଲେ ପାଣିରେ ବୁଡି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି ।