ମହାକାଶରେ ଆରମ୍ଭ ହେଲା ମହାଜାଗତିକ ଦୃଶ୍ୟ । ଆରମ୍ଭ ହେଲା ସୂର୍ଯ୍ୟୋପରାଗ, ତିନି ଘଣ୍ଟା ଧରି ଜାରି ରହିବ ଛାଇ ଆଲୁଅ ଖେଳ ।

677

କନକ ବ୍ୟୁରୋ : ମହାକାଶରେ ଆରମ୍ଭ ହେଲା ମହାଜାଗତିକ ଦୃଶ୍ୟ । ଆରମ୍ଭ ହେଲା ସୂର୍ଯ୍ୟୋପରାଗ ପ୍ରକ୍ରିୟା । ଏହା ଚଳିତ ଦଶନ୍ଧିର ଶେଷ ସୂର୍ଯ୍ୟୋପରାଗ ହେବ । ଏଥର ପୂର୍ଣ୍ଣ ସୂର୍ଯ୍ୟୋପରାଗ ହେଉଥିବା ବେଳେ ଦକ୍ଷିଣ ଭାରତର କିଛି ଅଂଚଳରେ ଏହା ବଳୟ ସୂର୍ଯ୍ୟୋପରାଗ ଭାବେ ଦୃଶ୍ୟମାନ ହେବ । ସକାଳ ୮ଟା ୨୦ରୁ ସୂର୍ଯ୍ୟପରାଗ ଆରମ୍ଭ ହୋଇଥିବା ବେଳେ ୧୧ ଟା ୨୮ରେ ଶେଷ ହେବ ।

ମହାକାଶରେ ପ୍ରାୟ ୩ଘଂଟାରୁ ଅଧିକ ସମୟ ଧରି ଚାଲିବ ଛାଇ ଆଲୁଅର ଖେଳ । ଓଡିଶାରେ ସକାଳ ୯ଟା ୪୭ରେ ସର୍ବାଧିକ ପରାଗ ଦେଖାଯିବ । ଏହି ସମୟରେ ସୂର୍ଯ୍ୟକୁ ଚନ୍ଦ୍ର ପ୍ରାୟ ୫୫ ରୁ ୬୫ ପ୍ରତିଶତ ଘୋଡାଇ ଦେବ । ସୂର୍ଯ୍ୟର ଆଲୋକ ମଳିନ ପଡିବା ସହ ଅଧା ଖଣ୍ଡିଆ ଦେଖାଯିବ । ଦକ୍ଷିଣ ଭାରତର ଅଳ୍ପ କେତେକ ସ୍ଥାନରେ ଏହା ବଳୟ ପରାଗ ଭାବେ ଦେଖାଯିବ ।

ତେବେ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ବାରଣ କରିଛନ୍ତି ବୈଜ୍ଞାନିକ । ସୌର ଚଷମା ପିନ୍ଧି ଏହି ବିରଳ ଦୃଶ୍ୟ ଦେଖିପାରିବେ । ସାଧାରଣ ଲୋକମାନଙ୍କ ପାଇଁ ସୂର୍ଯ୍ୟୋପରାଗ ଦେଖିବାକୁ ପଠାଣୀ ସାମନ୍ତ ପ୍ଲାନେଟାରିଅମରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସୂର୍ଯ୍ୟ ଚାରିପଟେ ପୃଥିବୀ, ପୃଥିବୀ ଚାରିପଟେ ଘୁରି ବୁଲୁଛି ଚନ୍ଦ୍ର । ଯେତେବେଳେ ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଏକ ସରଳ ରେଖା ଓ ଏକ ସମତଳରେ ରହେ ସେତେବେଳେ ସୂର୍ଯ୍ୟପରାଗ ହୋଇଥାଏ । ଏହି ସମୟରେ ସୂର୍ଯ୍ୟକୁ, ଚନ୍ଦ୍ର ଘୋଡାଇ ଦେଇଥାଏ । ଆଉ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ ।