ସମୁଦ୍ର ବେଳାଭୂମିରେ ଶାମୁକା ମାଫିଆ । ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳରୁ ବାହାରକୁ ଚାଲାଣ କରୁଛନ୍ତି ଟନ୍ ଟନ୍ ଶାମୁକା ।

105

କନକ ବ୍ୟୁରୋ: କଇଁଛଙ୍କ ପାଇଁ ବିପଦ ଶାମୁକା । ଆଉ ଏହି ଶାମୁକା ଉପରେ ବଙ୍ଗ ମାଫିଆଙ୍କ ନଜର । ପ୍ରତିଦିନ ଚାଲାଣ ହେଉଛି ଟନ୍ ଟନ୍ ଶାମୁକା । ସବୁ ନିୟମକୁ ଫୁ’କରି ଉଡାଇ ଦେଉଛନ୍ତି ମାଫିଆ । ଯାହାଫଳରେ ଅଲିଭ ରିଡଲେ କଇଁଛ ପ୍ରତି ପାଲଟିଛି ବିପଦ । ବେଆଇନ୍ ଶାମୁକା ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ । ପ୍ରତିଦିନ ଶାମୁକା ସଂଗ୍ରହ କରି ମାଫିଆ ବାହାରକୁ ଟନ୍ ଟନ୍ ଶାମୁକା ପଶ୍ଚିମବଙ୍ଗ ଚାଲାଣ କରୁଛି । ବନ୍ୟପ୍ରାଣୀ ଆଇନକୁ ବେଖାତିର କରି ଦିନ ଦିନ ଧରି ଏହି ବେଆଇନ୍ ଶାମୁକା ଚାଲାଣ କରାଯାଉଛି । ଶାମୁକା ଧରିବା ଓ ବିକ୍ରିି କରିବା ବେଆଇନ୍ ହୋଇଥିବା ବେଳେ ତାକୁ ମାନୁନାହାନ୍ତି ମାଫିଆ । ଯାହାଫଳରେ ଶହ ଶହ କଇଁଛ ମରିପଡୁଛନ୍ତି ।

ଖାଲି ସେତିକି ନୁହେଁ ଏବେ ଅଲିଭ ରିଡଲେଙ୍କ ଅଣ୍ଡାଦାନ ସମୟ ହୋଇଥିବା ବେଳେ କୂଳକୁ ଆସୁନାହାନ୍ତି କଇଁଛ ମାନେ । ଦିନ ଦ୍ୱି-ପହରରେ ସମୁଦ୍ର ବେଳାଭୂମିରୁ ଶାମୁକା ସଂଗ୍ରହ କରାଯାଇ ପାହାଡ ଭଳି ଗଦା କରାଯାଉଛି । ଅସାଧୁ ବ୍ୟବସାୟୀଙ୍କ ବେଆଇନ୍ ଶାମୁକା ବିକ୍ରି ନେଇ କିନ୍ତୁ ବିଭାଗୀୟ ଅଧିକାରୀଙ୍କ ନଜର ନାହିଁ । ଏହି ବ୍ୟବସାୟୀ ଶାମୁକା ବିକି ମାଲାମାଲ ହେଉଛନ୍ତି । ସଂଗୃହୀତ ଶାମୁକା ବସ୍ତା ପ୍ରତି ୪୦ରୁ ୧୦୦ଟଙ୍କାରେ କିଣାଯାଉଥିିବା ବେଳେ ଦଲାଲ ବାହାରେ ୪ରୁ ୫ ହଜାର ପର୍ଯ୍ୟନ୍ତ ବିକ୍ରିକରି ମାଲାମାଲ ହେଉଛନ୍ତି । ସେପଟେ ଶାମୁକା ପାଇଁ ସମୁଦ୍ରରେ ବଡ ବଡ ଜାଲ ବିଛାଯାଉଥିବାରୁ ଅନେକ ମାଛ ଯାଆଁଳ ବି ନଷ୍ଟ ହେବାରେ ଲାଗିଛି । ପ୍ରତିଦିନ ମୃତ ଶାମୁକା ଓ ମାଛ ଯୋଗୁ ବେଳାଭୂମି ଦୂଷିତ ହେବା ସହ ଗନ୍ଧମୟ ପରିବେଶ ସୃ୍ଷ୍ଟି ହେଉଛି । ଯାହାକୁ ନେଇ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।