ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ସିକ୍କିମ ସରକାରଙ୍କ ବଡ ଘୋଷଣା, ୧ବର୍ଷ ମିଳିବ ମାତୃତ୍ୱ ଛୁଟି

102

କନକ ବ୍ୟୁରୋ : ସିକ୍କିମ ସରକାର ମାତୃତ୍ୱ ଛୁଟିକୁ ନେଇ ବଡ ଘୋଷଣା କରିଛନ୍ତି । ଏବେ ରାଜ୍ୟରେ ମାତୃତ୍ୱ ଲାଭ କରିବାକୁ ଥିବା ମହିଳା ସରକାରୀ କର୍ମଚାରୀଙ୍କୁ ୧୨ ମାସ ପର୍ଯ୍ୟନ୍ତ ସରକାରୀ ଛୁଟି ମିଳିବ । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି । ଏହାସହ ମାତୃତ୍ୱ ଲାଭ କରିବାକୁ ଯାଉଥିବା ମହିଳାଙ୍କ ସ୍ୱାମୀ ଯଦି ସରକାରୀ ଚାକିରି କରିଥାନ୍ତି ତେବେ ତାଙ୍କୁ ମଧ୍ୟ ଏହି ଅବଧି ମଧ୍ୟରେ ଗୋଟିଏ ମାସ ଛୁଟି ମିଳିବ । ମୁଖ୍ୟମନ୍ତ୍ରୀ କହିଛନ୍ତି କି ଖୁବଶୀଘ୍ର ଏହାକୁ ଆଇନରେ ପରିଣତ କରାଯିବ । ଯାହାଦ୍ୱାରା ରାଜ୍ୟରେ ହଜାର ହଜାର ମହିଳା ସରକାରୀ କର୍ମଚାରୀ ଉପକୃତ ହେବେ ।

ସିକ୍କିମ ରାଜ୍ୟ ସିଭିଲ ଅଧିକାରୀ ସଂଘର ବାର୍ଷିକ ଉତ୍ସବକୁ ସମ୍ବୋଧିତ କରିବା ଅବସରରେ ସିକ୍କିମ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏହା ଦ୍ୱାରା ସରକାରୀ କର୍ମଚାରୀ ନିଜ ପରିବାର ଓ ପିଲାଙ୍କର ଦେଖାରଖା କରିବାର ସୁଯୋଗ ପାଇବେ । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରାଯିବ ।

ଏହି ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଅଧିକାରୀମାନେ ରାଜ୍ୟ ପ୍ରଶାସନର ମୁଖ୍ୟ ଅଙ୍ଗ । ଯେଉଁମାନେ ସିକ୍କିମର ଲୋକଙ୍କ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଏହି କ୍ରମରେ ନିଯୁକ୍ତ ହୋଇଥିବା ସମସ୍ତ ନୂଆ ଆଇଏଏସ ଓ ଏସସିଏସ ଅଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହାସହ ସେମାନଙ୍କ ସଫଳ କ୍ୟାରିୟର ପାଇଁ ଶୁଭକାମନା ମଧ୍ୟ ଜଣାଇଥିଲେ ।

ମାତୃତ୍ୱଲାଭ ଅଧିନିୟମ ୧୯୬୧ କ୍ରମରେ ମହିଳା ସରକାରୀ କର୍ମଚାରୀଙ୍କୁ ୬ମାସ ବା ୨୬ ସପ୍ତାହ ଛୁଟି ମିଳିବାର ପ୍ରାବଧାନ ରହିଛି । ସିକ୍କିମରେ ହେଉଛି ଦେଶର ସବୁଠାରୁ କମ୍ ଜନସଂଖ୍ୟା ବିଶିଷ୍ଠ ରାଜ୍ୟ । ଏଠାରେ ମାତ୍ର ୬.୩୨ ଲକ୍ଷ ଲୋକ ବାସ କରନ୍ତି ।