ପାକିସ୍ତାନ କ୍ରିକେଟରଙ୍କ ହାତରେ ତ୍ରିରଙ୍ଗା । ସୋସିଆଲ ମିଡ଼ିଆରେ ଫଟୋ ହେଲା ଭାଇରାଲ, ୟୁଜର୍ସ କହିଲେ… ।

461

କନକ ବ୍ୟୁରୋ : ଆଜି ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ । ଯେଉଁ ମୁକାବିଲା ଉପରେ ପୂରା ବିଶ୍ୱର ନଜର ରହିବ । ସିଡନୀରେ ଅପରାହ୍ନ ୧.୩୦ ମିନିଟରେ ଏହି ମ୍ୟାଚ୍ ଆରମ୍ଭ ହେବ । ଭାଗ୍ୟର ସାଥ୍ ଦେବାରୁ ପାକିସ୍ତାନ ସେମିଫାଇନାଲ ଟିକେଟ ହାତେଇଛି । ତେବେ କିୱି ଦଳ ବିପକ୍ଷରେ ବିଜୟୀ ହୋଇ ଫାଇନାଲକୁ ଏଣ୍ଟ୍ରି କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ପାକିସ୍ତାନ ଟିମ୍ । ତେବେ ଏହି ସେମିଫାଇନାଲ ମୁକାବିଲା ପୂର୍ବରୁ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ଦ୍ରୁତ ବୋଲର ସାହିନ ଆଫ୍ରିଦଙ୍କୁ ଭାରତର ଜାତୀୟ ପତାକା ତ୍ରିରଙ୍ଗା ସହ ଦେଖିବାକୁ ମିଳିଛି ।

ସିଡନୀରେ ମ୍ୟାଚ୍ ପୂର୍ବରୁ ପ୍ରଂଶସକଙ୍କୁ ଭେଟୁଥିବା ବେଳେ ଜଣେ ଭାରତୀୟ ଫ୍ୟାନଙ୍କ ଅନୁରୋଧ କ୍ରମେ ହାତରେ ତ୍ରିରଙ୍ଗା ଧରିଥିଲେ ସାହିନ । ତ୍ରିରଙ୍ଗାରେ ସାହିନ ଅଟୋଗ୍ରାଫ୍ ଦେଉଥିବାର ଦେଖିବାକୁ ମିଳିଛି । ଏହାପୂର୍ବରୁ ସାହିନଙ୍କ ଭାବି ଶ୍ୱଶୁର ସାହିଦ ଆଫ୍ରିଦ ମଧ୍ୟ କିଛି ଏଭଳି କରି ଭାରତୀୟ କ୍ରିକେଟପ୍ରେମୀଙ୍କ ମନ ଜିଣିଥିଲେ ।

ସାହିଦ ଆଫ୍ରିଦ ୨୦୧୮ରେ ମଧ୍ୟ ତ୍ରିରଙ୍ଗା ସହ ଫଟୋ ଉଠାଇଥିବାର ଦେଖିବାକୁ ମିଳିଥିଲା । ସ୍ୱିଜରଲ୍ୟାଣ୍ଡରେ ଏକ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ଅବସରରେ ଭାରତୀୟ ପ୍ରଂଶସକ ସାହିଦ ଆଫ୍ରିଦଙ୍କ ସହ ଫଟୋ ଉଠାଇବାକୁ ଚାହିଁଥିଲେ । ସେତେବେଳେ ଫ୍ୟାନ୍ ଜଣକ ତ୍ରିରଙ୍ଗାକୁ ପୂରା ଖୋଲିନଥିଲେ । ଯାହାକୁ ଦେଖିବା ପରେ ତ୍ରିରଙ୍ଗାକୁ ପୂରା ଖୋଲିବାକୁ ଆଫ୍ରିଦ କହିଥିଲେ ଓ ତାଙ୍କ ସହ ଫଟୋ ନେଇଥିଲେ । ସେତେବେଳେ ଆଫ୍ରିଦ ଏଥିପାଇଁ ବହୁତ ପ୍ରଂଶସା ସାଉଁଟିଥିଲେ ।